Categories: ଫୁରସତ

କାର୍‌ ଚଳାଉଛନ୍ତି ମୂଷା

ଓ୍ବାଶିଂଟନ୍‌: ଆମେରିକାର ରିଚ୍‌ମଣ୍ଡ ୟୁନିଭର୍ସିଟିରେ ମୂଷାମାନେ କାର୍‌ ଚଲାଉଛନ୍ତି। ମନୁଷ୍ୟମାନେ ବ୍ୟବହାର କରୁଥିବା କାର୍‌ ନୁହେଁ ବରଂ ପ୍ଲାଷ୍ଟିକ୍‌ ଖୋଳାରେ ତିଆରି ହୋଇଥିବା ସ୍ବତନ୍ତ୍ର ପ୍ରକାର କାର୍‌କୁ ମୂଷାମାନେ ଚଲାଉଥିବାର ଦେଖିବାକୁ ମିଳିଛି। ୟୁନିଭର୍ସିଟିରେ କାର୍ଯ୍ୟରତ ଅଧ୍ୟାପକ କେଲି ଲାମ୍ବର୍ଟ ଏହି ବିଶେଷ ପ୍ରକାର କାର୍‌ ତିଆରି କରିଛନ୍ତି। ଟ୍ରାନ୍ସପରେଣ୍ଟ ପ୍ଲାଷ୍ଟିକ୍‌ ବକ୍ସରେ ତିଆରି ହୋଇଥିବା ଏହି କାରର ତଳ ଅଂଶ ଆଲୁମିନିୟମ୍‌ରେ ତିଆରି ହୋଇଛି। କାର୍‌ ଭିତରେ ୩ଟି କପର୍‌ ବାର୍‌ ରହିଛି। ଏହି ବାର୍‌ଗୁଡ଼ିକୁ ଛୁଇଁବାମାତ୍ରେ କାର୍‌ ଷ୍ଟାର୍ଟ ହୋଇଯାଏ। ବାମ ପାର୍ଶ୍ୱରେ ଥିବା ବାର୍‌କୁ ଛୁଇଁବା ଦ୍ୱାରା କାର୍‌ଟି ବାମ ଓ ଡାହାଣ ବାର୍‌ ଦ୍ୱାରା କାର୍‌ଟି ଡାହାଣ ପାଖକୁ ଯାଇଥାଏ। ମୋଟ ଭାବେ ୬ ମାଈ ଏବଂ ୪ ଅଣ୍ଡିରା ମୂଷାକୁ ଏଥିରେ ସାମିଲ କରାଯାଇଛି। ୪ ସ୍କୋୟାର୍‌ ମିଟର ପରିମିତ ସ୍ଥାନରେ ମୂଷାଙ୍କ ପାଇଁ ସ୍ବତନ୍ତ୍ର ପ୍ରକାର ବାଟ ତିଆରି କରାଯାଇଛି। ବାର୍‌ଗୁଡ଼ିକ ଛୁଇଁବା ପାଇଁ ମୂଷାଙ୍କୁ ଖାଦ୍ୟର ଲୋଭ ଦେଖାଯାଉଛି। ତିଆରି ହୋଇଥିବା ସ୍ବତନ୍ତ୍ର ପ୍ରକାର ରୁଟର ବିଭିନ୍ନ ଭାଗରେ ଖାଦ୍ୟ ରଖାଯାଉଛି। କାର୍‌ ଚଲାଇବାରେ ମୂଷାଙ୍କ ଅନୁଭୂତି ବିଷୟରେ ଜାଣିବା ପାଇଁ ଗବେଶକମାନେ ଏହି ସ୍ବତନ୍ତ୍ର ଧରଣର ଗବେଷଣା କରୁଥିବା କୁହାଯାଉଛି।

Share