ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ, କର୍ମଚାରୀ

ବାଲେଶ୍ୱର ଅଫିସ,୧୭।୫ ବାଲେଶ୍ୱର ଜିଲା ଓଷ୍ଟା କାର୍ଯ୍ୟକାରୀ କମିଟି ପକ୍ଷରୁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ପ୍ରକାଶ କରିଥିବା ନୂତନ ଅନୁଦାନଭୁକ୍ତ ଶିକ୍ଷକ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଦରମା ପ୍ରଦାନର ପଦ୍ଧତି (ମୋଡାଲିଟି) ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ମନମୁଖୀ ଏବଂ ଠିକ୍‌ ପଦ୍ଧତି ନିର୍ଦ୍ଧାରଣ କରିବାକୁ ବୈଠକରେ ଦୃଢ଼ ଦାବି କରାଯାଇଛି। ନଚେତ୍‌ ରାଜ୍ୟର ୫୦ହଜାର ଶିକ୍ଷକ କର୍ମଚାରୀ ପୁଣି ରାଜରାସ୍ତାକୁ ଓହ୍ଲାଇବେ ବୋଲି ସମ୍ପାଦକ ମନୋରଞ୍ଜନ ଦାସ ଓ ସଭାପତି ବାଦଲ ଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।
ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର କର୍ମଚାରୀଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବ ବୋଲି ଗତ ଜାନୁଆରୀ ୧୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ବେତନ ପ୍ରଦାନର ପଦ୍ଧତି ପ୍ରକାଶ କରି ନ ଥିଲେ। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ଜିଲା ଶିକ୍ଷାଧିକାରୀମାନେ ମନୋମୁଖୀ କାର୍ଯ୍ୟ କରି କିଏ ଦେଲେ କିଏ ଦେଲେ ନାହଁି। ବିଜ୍ଞପ୍ତିରେ କେବଳ ୩୧।୧୨।୨୦୧୨ ସୁଦ୍ଧା ୧୦୦% ଦରମା ପାଉଥିବା ବିଦ୍ୟାଳୟକୁ ଏହା ଦିଆଯିବାର ନିର୍ଦ୍ଦେଶ ରହିବା ସହ ୭୦% କିମ୍ବା ୧।୧।୨୦୨୨ରିଖରେ ୧୦୦% ପାଇବାକୁ ଯୋଗ୍ୟ କର୍ମଚାରୀଙ୍କ ବାବଦରେ ସରକାର ନୀରବ ରହିଥିଲେ। ଏ ନେଇ ସାରା ରାଜ୍ୟରେ ଶିକ୍ଷକ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାପୂର୍ବରୁ ଦିଆଯାଇଥିବା ସରକାରୀ ତଥା ପୂର୍ଣ୍ଣ ଅନୁଦାନ ପ୍ରାପ୍ତ କର୍ମଚାରୀଙ୍କ ଓଆର୍‌ଏସ୍‌ପି ରୁଲ୍‌-୨୦୧୭ ସପ୍ତମ ବେତନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏ ବାବଦରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ନିଷ୍ପତ୍ତି କ୍ରମେ ରବିବାର ବାଲେଶ୍ୱର ଜିଲା ଓଷ୍ଟା କାର୍ଯ୍ୟକାରିଣୀର ଆଭାସୀ ବୈଠକରେ ଦୃଢ଼ ପ୍ରତିବାଦ କରାଯାଇଛି। ବୈଠକରେ ଜିଲା ଓଷ୍ଟାର ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ରାଜେନ୍ଦୁ ବିକାଶ ପାତ୍ର, ନବକିଶୋର ବାରିକଙ୍କ ସମେତ ୧୫ଟି ମଣ୍ଡଳର ସମ୍ପାଦକମାନେ ବକ୍ତବ୍ୟ ରଖିଥିଲେ। ଆସନ୍ତା ୧୭ ତାରିଖ ସୁଦ୍ଧା ସରକାର ଏହାର ସମାଧାନ ସହ ଉଚିତ୍‌ ପଦ୍ଧତି ନିର୍ଦ୍ଧାରଣ ନ କଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

Share