ନୂଆଦିଲ୍ଲୀ,୧୨।୮: କୋଭିଡ୍ ଯୋଗୁ ବର୍ତ୍ତମାନ ଦେଶର ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମ୍ଏସ୍ଏମ୍ଇ)ଗୁଡ଼ିକ ବିଭିନ୍ନ ସମସ୍ୟା ସାମ୍ନା କରୁଛନ୍ତି। କ୍ଷୁଦ୍ରଶିଳ୍ପର ସ୍ଥିତିରେ ସୁଧାର ଆସିବା ଲାଗି ଅନ୍ତତଃ ପକ୍ଷେ ୭ରୁ୮ ମାସ ସମୟ ଲାଗିପାରେ। ସଂସ୍ଥାଗୁଡିକର ପରିଚାଳାନ ଏବଂ ଡିଜିଟାଇଜେଶନ ସେମାନଙ୍କ ଟ୍ରାକ୍କୁ ଫେରିବା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଡୁନ୍ ଆଣ୍ଡ ବ୍ରାଡ୍ଷ୍ଟ୍ରିଟର ଗ୍ଲୋବାଲ ଚିଫ୍ ଇକୋନୋମିଷ୍ଟ ଅରୁଣ ମିଶ୍ର କହିଛନ୍ତି। ଭାରତର ମୋଟ ଜିଡିପିକୁ ଏମ୍ଏସ୍ଏମ୍ଇ ୨୯% ଯୋଗଦାନ ରଖୁଛନ୍ତି। ମହାମାରୀ ଯୋଗୁ ସଂସ୍ଥାଗୁଡିକର ଅଣ୍ଟା ଭାଙ୍ଗିଯାଇଛି। ଏକ ଓ୍ବେବିନାରରେ ଯୋଗଦେଇ ସିଂ କହିଛନ୍ତି ଯେ, ଯେଉଁ କ୍ଷେତ୍ରଗୁଡିକ ବର୍ତ୍ତମାନ ପରିଚାଳିତ ହେଉଛି ଉକ୍ତ କ୍ଷେତ୍ର ସହ ଏମ୍ଏସ୍ଏମ୍ଇଗୁଡିକ ଜଡିତ ହୋଇ କାମ କରିପାରିବେ। ଅନ୍ଲାଇନ ଗେମିଂ, ଟେଲିକମ୍, ଇ-ଏଜୁକେଶନ ଅପରେଶନ ଭଳି ଅନ୍ୟ କିଛି କ୍ଷେତ୍ରରେ ବର୍ତ୍ତମାନ ନୂଆ ସୁଯୋଗ ସୃଷ୍ଟି ହେଉଛି। ସେହିଭଳି ଖାଦ୍ୟ, ଔଷଧ, ଫାର୍ମାସ୍ୟୁଟିକାଲ, ଆଇଟି ଭିତ୍ତିକ ସେବା, ବ୍ୟାଙ୍କିଙ୍ଗ୍, ରିଟେଲ, ଅଟୋମୋଟିଭ, ରିୟଲ ଇଷ୍ଟେଟ ଏବଂ ଜୁଏଲେରି ଭଳି କ୍ଷେତ୍ରରେ ପ୍ରଭାବ ସାମାନ୍ୟଠାରୁ ଗୁରୁତର ରହିଛି। ଏହାବାଦ ଲଜିଷ୍ଟିକ,ଓ୍ବେରହାଉସିଂ, ମେଟାଲ,ମିଡିଆ ଏବଂ ମନୋରଞ୍ଜନ ଭଳି କ୍ଷେତ୍ର ଟ୍ରାକ୍କୁ ଫେରିବା ଲାଗି ଗୋଟିଏ ବର୍ଷ ଲାଗିପାରେ ବୋଲି ସିଂ କହିଛନ୍ତି।