ରାତି ଦିନ ଚାଲିଛି ମାଟି ବୁହା

ରୂପସା, ୧୨ା୪ (ଡି.ଏନ.ଏ.) ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ଗଡ଼ପଦା ପଞ୍ଚାୟତରେ ଗୋଚର ଜମିରୁ ବେଆଇନ ମାଟିଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ରବିବାର ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଖୋଳତାଡ କରାଯାଇଥିଲା। ଏହି ପଞ୍ଚାୟତର ଷଣ୍ଢଗଡ଼ିଆ ନିକଟରେ ଗୋଚର ଜମିରୁ ଜେସିବି ଯୋଗେ ମାଟି ଖୋଳି ଟ୍ରାକ୍ଟରରେ ଲୋଡ଼ିଂ ହୋଇ ବାହାରକୁ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ମୋବାଇଲରେ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିବା ପରେ ଡ୍ରାଇଭରମାନେ ଜେସିବି ଓ ସବୁ ଟ୍ରାକ୍ଟର ନେଇ ସେଠାରୁ ଚମ୍ପଟ ମାରିଥିଲେ। କିନ୍ତୁ ସେଠାରେ ପହଞ୍ଚିଥିବା ନାଏବ ସରପଞ୍ଚଙ୍କୁ ପଚରାଯିବାରୁ ସେ ନିଜେ ଏହି ମାଟି ଖୋଳୁଥିବା କହିଥିଲେ। ଆର୍‌ଆଇ ଓ ତହସିଲଦାରଙ୍କୁ ଜଣାଇ ସେଠାରେ ଥିବା ଶ୍ମଶାନ ପାଇଁ ଗାଁ ତରଫରୁ ଏକ ପୋଖରୀ ଖୋଳାଯାଉଛି ବୋଲି ମଧ୍ୟ ସ୍ବୀକାର କରିଥିଲେ। କିନ୍ତୁ ରାଜସ୍ବ ବିଭାଗ ପକ୍ଷରୁ କୌଣସି ଅନୁମତିପତ୍ର ଦେଖାଇ ପାରି ନ ଥିଲେ। ବିଭିନ୍ନ ସ୍ଥାନରେ ସରକାରୀ ଜମିରୁ ବେଆଇନ ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ଲୋକେ ପୂର୍ବରୁ ବାରମ୍ବାର ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ରୂପସା ଥାନାଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ସମସ୍ତଙ୍କୁ ଚକିତ କରିଛି। ସରକାରୀ ଗୋଚର ଜମିରୁ ମାଟି ମାଫିଆ ଓ ଦଲାଲ ମିଶି ଜେସିବି ଏବଂ ଟ୍ରାକ୍ଟର ଲଗାଇ ରାତିଦିନ ଶହ ଶହ ଟ୍ରାକ୍ଟର ମାଟି ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଗୋରୁ ଚରାଇବା ପାଇଁ ଗୋଚର କିସମର ଜମି ରହିଛି। କିଛି ଅସାଧୁ ବ୍ୟବସାୟୀ ଏହି ଜମିରୁ କିଭଳି ରାଜସ୍ବ ଲୁଟ୍‌ କରିବେ ସେଥିପାଇଁ ପ୍ରଶାସନ ସହ ସଲାସୁତୁରା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଲଛମନଖୁଣ୍ଟା ଜଙ୍ଗଲ ଜମି ଓ ବିଭିନ୍ନ ଗୋଚର ଜମିରୁ ମୋରମ, ମାଟି ଲୁଟ୍‌ ହେଉଥିବାରୁ ସରକାରଙ୍କ ରାଜକୋଷରୁ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ଘଟୁଛି ଓ ଗ୍ରାମାଞ୍ଚଳରେ ଗୋଚର ଜମି ଧୀରେ ଧୀରେ ଲୋପ ପାଇବାକୁ ବସିଛି ବୋଲି ଗାଁ ଲୋକେ କହିଛନ୍ତି।
ମାର୍ଚ୍ଚ ୧୨ତାରିଖରେ ଓଡ଼ିଆଶାସନ ଗ୍ରାମର ବିଜୟ କୁମାର ଦାସ ବାଇକ୍‌ ଯୋଗେ ରୂପସା ଯାଉଥିବା ବେଳେ ଏକ ମାଟିବୋଝେଇ ଟ୍ରାକ୍ଟର ବାଇକକୁ ଚପାଇ ବିଜୟଙ୍କୁ ହତ୍ୟା ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା (ନଂ.୨୫/୨୨) ରୁଜୁ କରିଥିଲେ ହେଁ ଏଯାବତ୍‌ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଅଭିଯୋଗକାରୀ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ତହସିଲଦାର କାର୍ତ୍ତିକ କୁମାର ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ମାଟି ଖୋଳା ଭିଡ଼ିଓ ଓ ଟ୍ରାକ୍ଟର ସବୁର ଫଟୋ ପଠାଇବାକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିବା ସହ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Share