ଜର୍ଜ ସୋରୋସ
ଠିକ୍ ମାସେ ପୂର୍ବେ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ମୋ ବକ୍ତବ୍ୟ ଉପସ୍ଥାପନ କରିଥିଲି। ତା’ପରଠାରୁ ବିଶ୍ୱରେ ଅନେକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ଏସବୁ ଖୁବ୍ ଶୀଘ୍ର ଘଟିଛି ଓ ଏଗୁଡ଼ିିକର ସ୍ଥିତିର ବାସ୍ତବ ଉନ୍ନତିକୁ ଦେଖିଲେ ମୋ ପୂର୍ବାନୁମାନର ମହତ୍ତ୍ୱ ଥିବା ଜଣାଯାଏ। ସବୁଠୁ ବଡ଼ ପରିବର୍ତ୍ତନ ହୋଇଛି ବୈଶ୍ୱିକ ଜଳବାୟୁ ପରିବର୍ତ୍ତନରେ। ଏଥିରୁ ବୁୁଝାପଡ଼ୁଛି , ପ୍ରକୃତରେ ଜଳବାୟୁ କାର୍ଯ୍ୟକ୍ରମ ଏବଂ ଜଳବାୟୁ ବିଜ୍ଞାନୀମାନେ ଏସବୁ ଘଟଣାକୁ ଭଲ ଭାବେ ବୁଝିଛନ୍ତି। ଉତ୍ତର ମେରୁ ଅଞ୍ଚଳରେ ଯାହା ଘଟୁଛି ସେସବୁ ଉପରେ ବୈଶ୍ୱିକ ଜଳବାୟୁ ବ୍ୟବସ୍ଥା ଅଧିକ ନିର୍ଭର କରେ ବୋଲି ମ୍ୟୁନିକ୍ରେ ମୋର ପ୍ରମୁଖ ବାର୍ତ୍ତା ଥିଲା। ମେରୁ ଅଞ୍ଚଳର ଜଳବାୟୁ ପ୍ରଣାଳୀ ବୈଶ୍ୱିକ ଜଳବାୟୁ ବ୍ୟବସ୍ଥାଠାରୁ ଭିନ୍ନ ରହିଆସିଥିଲା। ସେଠାକାର ବାୟୁ ବାମାବର୍ତ୍ତୀ ଦିଗରେ ପ୍ରବାହିତ ହୁଏ । କିନ୍ତୁ ଦେଖାଯାଉଛି, ବାଧା ସୃଷ୍ଟିକାରୀ ମଣିଷକୃତ କାର୍ଯ୍ୟକଳାପ ଯୋଗୁ ମେରୁ ଜଳବାୟୁ ବ୍ୟବସ୍ଥା ଏବଂ ବୈଶ୍ୱିକ ଜଳବାୟୁ ବ୍ୟବସ୍ଥା ମଧ୍ୟରେ ପାର୍ଥକ୍ୟ ଆଉ ବେଶି ଦିନ ତିଷ୍ଠି ରହିବ ନାହିଁ। ବାସ୍ତବରେ ଏବେ ମେରୁ ଅଞ୍ଚଳରୁ ଶୀତଳ ବାୟୁ ଲିକ୍ ହେବା ସହ ବାହାରର ଉଷ୍ମ ବାୟୁ ଏହାର ସ୍ଥାନ ନେଉଛି। ଫଳସ୍ବରୂପ ବିଗତ ୪ ଦଶନ୍ଧି ମଧ୍ୟରେ ମେରୁଅଞ୍ଚଳ ଅବଶିଷ୍ଟ ପୃଥିବୀ ତୁଳନାରେ ୪ଗୁଣ ଶୀଘ୍ର ଉତ୍ତପ୍ତ ହେବାରେ ଲାଗିଛି ଓ ତାପମାତ୍ରା ଶୀଘ୍ର ବଢୁଛି। ମ୍ୟୁନିକ୍ରେ ମୋ ବକ୍ତବ୍ୟ ପରଠାରୁ ମେରୁ ଅଞ୍ଚଳର ତାପମାତ୍ରା ଏହାର ସାଧାରଣ ସ୍ତରଠାରୁ ୨୦ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧିପାଇଛି। ଏହା ଏକ ରେକର୍ଡ ବୃଦ୍ଧି ଏବଂ ଯେଉଁ ହାରରେ ଗ୍ରୀନ୍ଲାଣ୍ଡର ବରଫ ତରଳୁଛି ତାହା ଅତ୍ୟନ୍ତ ଚିନ୍ତାଜନକ।
ଜଳବାୟୁ ବିଜ୍ଞାନୀମାନେ ମେରୁ ଉତ୍ତପ୍ତ ହେବା ପ୍ରକ୍ରିୟାକୁ ବୁଝି ବଡ଼ ପଦକ୍ଷେପ ନେଇଛନ୍ତି। କାର୍ବନ ଡାଇଅକ୍ସାଇଡ୍ଠାରୁ ଅତ୍ୟଧିକ ଶକ୍ତିଶାଳୀ ଓ ବିପଜ୍ଜନକ ସବୁଜ ଗୃହ ବାଷ୍ପ ମିଥେନ ଗ୍ୟାସ୍ ନିର୍ଗମନ ମଣିଷର କାର୍ଯ୍ୟକଳାପ ସହ ଜଡ଼ିତ ଉତ୍ସଗୁଡ଼ିକରୁ ହେଉଥିବା ନର୍ଗମନଠାରୁ ଅଧିକ ବୋଲି ସେମାନେ ପ୍ରମାଣ କରିଛନ୍ତି। ଏହି ସିଦ୍ଧାନ୍ତ ସୂଚିତ କରୁଛି କି, ମିଥେନ୍ ନିର୍ଗମନର ଆଉ କେତେକ ଉତ୍ସ ଅଛି। ଉଦାହରଣ ସ୍ବରୂପ, ସ୍ଥାୟୀ ବରଫ ଅଞ୍ଚଳରୁ ଅଧିକ ମିଥେନ ନିର୍ଗମନ ହେଉଛି। ପ୍ରକୃତି ଉପରେ ମଣିଷର ହସ୍ତକ୍ଷେପ ଯୋଗୁ ଏହା ଘଟୁଛି। ଏସବୁକୁ ଲକ୍ଷ୍ୟ କରି ଏକ ଜଳବାୟୁ ଜରୁରୀ ସ୍ଥିତି ଘୋଷଣା କରିବା ଆବଶ୍ୟକ ବୋଲି ଜଳବାୟୁ ବିଜ୍ଞାନୀମାନେ କହନ୍ତି। କାରଣ, ଏବେ ଯେଉଁ ହାରରେ ତାପମାତ୍ରା ବୃଦ୍ଧି ପାଉଛି ବିଶ୍ୱତାପନ ନିଶ୍ଚିତ ଭାବେ ୧.୫ ଡିଗ୍ରୀ ସେଲସିୟସ୍କୁ ଟପିଯିବ। ବ୍ରିଟେନର ଗର୍ଡନ ବ୍ରାଉନ୍ଙ୍କ ସରକାରରେ ଥିବା ପ୍ରମୁଖ ବିଜ୍ଞାନ ପରାମର୍ଶଦାତା ତଥା ଏବକାର ଜଳବାୟୁ ସଙ୍କଟ ଉପଦେଷ୍ଟା ମଣ୍ଡଳୀର ମୁଖ୍ୟ ସାର୍ ଡ୍ୟାଭିଡ କିଙ୍ଗ୍ ଗତ ମାସରେ କହିଥିଲେ ଯେ, ଆମକୁ ଶୀଘ୍ର ନିର୍ଗମନ ହ୍ରାସ କରିବା ସହ ଅଧିକ ସବୁଜ ଗୃହ ବାଷ୍ପ ବାୟୁମଣ୍ଡଳରୁ ହଟାଇବାକୁ ପଡ଼ିବ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମେରୁ ଅଞ୍ଚଳର ତାପମାତ୍ରା ହ୍ରାସ କରି ପୁନର୍ବାର ସେଠାରେ ବରଫ ଜମାଟର ବ୍ୟବସ୍ଥା କରିବା ଜରୁରୀ। ଏହା ଏକ ବଡ଼ ଯୋଜନା। କିନ୍ତୁ ଏବକାର ସ୍ଥିତିକୁ ଦେଖିଲେ ଏହା ଉପରେ ଯୋଜନା କରିବାରେ ଆମେ ପଛେଇ ଯାଇଛୁ।
ବିଶ୍ୱ ଦୃଶ୍ୟପଟରେ ଗୁରୁତ୍ୱପର୍ଣ୍ଣ ପରିବର୍ତ୍ତନ ହୋଇଥିବା ଅନ୍ୟ ଏକ କ୍ଷେତ୍ର ହେଉଛି ରୁଷିଆ- ୟୁକ୍ରେନ୍ ଯୁଦ୍ଧ। ଅକ୍ଟୋବର ପର୍ଯ୍ୟନ୍ତ ଯୁଦ୍ଧରେ ୟୁକ୍ରେନ୍ ଜିତୁଥିଲା। ପରେ ଇରାନ ସହଯୋଗରେ ରୁଷିଆ ଅତ୍ୟଧିକ ଡ୍ରୋନ୍ ବ୍ୟବହାର କଲା। ଲୋକଙ୍କୁ ବିଦ୍ୟୁତ୍, ଇନ୍ଧନ ଓ ପାଣିରୁ ବଞ୍ଚିତ କରି ୟୁକ୍ରେନ୍ର ନୈତିକ ବଳ ଭାଙ୍ଗି ଦେବା ଥିଲା ମୁଖ୍ୟ ଲକ୍ଷ୍ୟ। ଫଳରେ ୟୁକ୍ରେନ୍ ରକ୍ଷାମତ୍କ ପନ୍ଥା ଗ୍ରହଣ କଲା। ଯାହାଫଳରେ ରୁଷିଆର ସରକାରୀ ବା ନିୟମିତ ସେନା ଏବେ ନୈରାଶ୍ୟଜନକ ସ୍ଥିତିରେ ଅଛି ଓ ଏହାର ନେତୃତ୍ୱ ଭଲ ଭାବେ ନିଆଯାଉନାହିଁ। ସେନା ଗମ୍ଭୀର ରୂପେ ହତୋତ୍ସାହିତ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍ ଜାଣିବା ପରେ ଏଥିରେ ସୁଧାର ଆଣିବା ଲାଗି ଯାହା କଲେ ସେଥିରେ ଗୁଡ଼ିଏ ବିପଦ ଆମନ୍ତ୍ରଣ କରିଛନ୍ତି। ସେ ଜେଭଗିନି ପ୍ରିଗୋଝିନ୍ଙ୍କୁ ଗୁରୁତ୍ୱ ଦେଲେ, ଯିଏ କି ପ୍ରିଗୋଝିନ୍ ‘ଓ୍ବାଗନର ପ୍ରାଇଭେଟ ମିଲିଟାରି ଗ୍ରୁପ୍’ ନାମକ ବୃତ୍ତିଗତ ସେନାର ନେତୃତ୍ୱ ନେଇଥିଲେ। ରୁଷିଆର ସରକାରୀ ସେନାଠାରୁ ତାଙ୍କ ଯୋଦ୍ଧାମାନେ ଉତ୍ତମ ପ୍ରଦର୍ଶନ କରିବେ ବୋଲି ସେ ପ୍ରମାଣ କରିବାକୁ ଆଗ୍ରହୀ ଥିଲେ। ଏଣୁ ପୁଟିନ୍ ରୁଷିଆର ଜେଲ୍ରେ ଥିବା ବନ୍ଦୀମାନଙ୍କୁ ସେଥିରେ ନିଯୁକ୍ତ କରିବାକୁ ପ୍ରିଗୋଝିନଙ୍କୁ ଅନୁମତି ଦେଲେ। ନିଯୁକ୍ତ ବନ୍ଦୀମାନଙ୍କର ଏବଂ ଅନ୍ୟ ବୃତ୍ତିଗତ ଯୋଦ୍ଧାଙ୍କ ଜୀବନକୁ ବାଜି ଲଗାଇ ଓ୍ବାଗନର ଯୁଦ୍ଧ କଲା। ଯୁଦ୍ଧରେ ରୁଷୀୟ ସେନା ବିଫଳ ହେଉଥିବାବେଳେ କିମ୍ବା ସବୁଠି ସ୍ଥିତି ହରାଉଥିବାବେଳେ ଓ୍ବାଗନର ସେନା ୟୁକ୍ରେନ୍ ପୂର୍ବଭାଗରେ ଥିବା ବଖ୍ମୁତ୍ ସହରର ଚାରିପାଖକୁ ଦଖଲ କରିବାକୁ ଲାଗିଲା।
ପୁଟିନ୍ଙ୍କ ବାଜି ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ଭଲ କାମ କଲା। ନିୟମିତ ସେନା ନିଜକୁ ଅସୁରକ୍ଷିତ ମନେକରି ପ୍ରିଗୋଝିନ୍ଙ୍କ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରି ଜିତିଗଲା। ଫଳରେ କିଛି ସପ୍ତାହ ପୂର୍ବେ ପ୍ରିଗୋଝିନ ସାଧାରଣରେ ଅଭିଯୋଗ ଆଣିବା ପରେ ପୁଟିନ୍ ଅକଳରେ ପଡ଼ିଗଲେ। ପ୍ରଥମେ ପ୍ରିଗୋଝିନଙ୍କୁ ସାହାଯ୍ୟ କରିବାକୁ ପୁଟିନ୍ ଚେଷ୍ଟା କରିଥିଲେ। କିନ୍ତୁ ପୂରା ସରକାରୀ ବ୍ୟବସ୍ଥା ରୁଷୀୟ ସେନାକୁ ସମର୍ଥନ କରିଥିଲା। ଏହାସହ ସେମାନେ ପୁଟିନ୍ଙ୍କୁ ଅବଗତ କରିଥିଲେ ଯେ, ଏବକାର ସରକାର ପ୍ରତି ପ୍ରିଗୋଝିନ୍ ଏକ ବିପଦ। ମୁଖ୍ୟ ବିଷୟ ହେଉଛି, ରୁଷିଆର ଏହି ଆଭ୍ୟନ୍ତରୀଣ ବିବାଦରୁ ୟୁକ୍ରେନ୍ ଲାଭ ଉଠାଉଛି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମୀର ଜେଲେନ୍ସ୍କି ତାଙ୍କ ସେନା ଅଧିକାରୀଙ୍କ ସହ ପରାମର୍ଶ କଲେ। ପ୍ରିଗୋଝିନଙ୍କ ସେନା ବିଧ୍ୱଂସକ ଭାବେ ବାହାରକୁ ଜଣା ଥିଲେ ବି ଏହାର ବହୁ ଦୁର୍ବଳତା ଅଛି ବୋଲି ସେମାନେ ସମସ୍ତେ ସ୍ବୀକାର କଲେ। ୟୁକ୍ରେନ ସେନା ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବିଶେଷକରି ଲିଓପାର୍ଡ ଟ୍ୟାଙ୍କ ପାଇଲେ ପ୍ରତି ଆକ୍ରମଣ କରିବାକୁ ସକ୍ଷମ ହେବେ । ଏଣୁ ଏହି ଟ୍ୟାଙ୍କୁ ଯୋଗାଇ ଦେବା ଲାଗି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ତାହା ମେ’ ପାଖାପାଖିରେ ନିଶ୍ଚିତ ଘଟିବ, କିନ୍ତୁ ତା’ ପୂର୍ବରୁ ଏହା ବି ଘଟିପାରେ।
ଯୁଦ୍ଧ ଏବଂ ବସନ୍ତରେ ୟୁକ୍ରେନ୍ର ଆକ୍ରମଣ ନିର୍ଣ୍ଣାୟକ ହୋଇ ସ୍ଥିତିରେ ପରିବର୍ତ୍ତନ ଘଟିବ ବୋଲି ଗୋଟିଏ ମାସ ପୂର୍ବରୁ ମୁଁ ଯେଉଁ ପୂର୍ବାନୁମାନ କରିଥିଲି ତାହା ସତ ହେବା ସମ୍ଭାବନା ଅଧିକ। ଏହାସହ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ପୂର୍ବନୁମାନ ବି ସତ ହୋଇପାରେ। ମୁଁ ଏ ସମ୍ପର୍କରେ ଅବଗତ ଅଛି, ଅବଶ୍ୟ ଅନେକ ପ୍ରତିଷ୍ଠିତ ପ୍ରକାଶନ ଆର୍ଟିକିଲଗୁଡ଼ିକରେ ଯୁଦ୍ଧର ଅଗ୍ରଗତିକୁ ନେଇ ବହୁ ନୈରାଶ୍ୟଜନକ ଛବି ଦର୍ଶାଇଛନ୍ତି। ଏଭଳି ଦୁଷ୍ପ୍ରଚାର ଅଭିଯାନକୁ ମାନିନେବା ଦ୍ୱାରା ସେମାନେ କିଭଳି ମୋ ଉତ୍ସାହିତ ଦୃଷ୍ଟିକୋଣକୁ ସ୍ବୀକାର କରିପାରିବେ? ପୁଟିନ୍ ଏକ ଯୁଦ୍ଧ ବିରତି ପାଇଁ ଆତୁର, କିନ୍ତୁ ସେ ଏହାକୁ ସ୍ବୀକାର କରିବାକୁ ଚାହଁୁନାହାନ୍ତି। ଚାଇନାର ରାଷ୍ଟ୍ରପତି ଶି ଜିନ୍ପିଙ୍ଗ ଚିନ୍ତାଧାରା ବି ସେୟା। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏକ ଯୁଦ୍ଧ ବିରତି ଲାଗି ମଧ୍ୟସ୍ଥ ହେବାର ସମ୍ଭାବନା ନାହିଁ। ପୂର୍ବରୁ ସୋଭିଏଟ ସାମ୍ରାଜ୍ୟରେ ଥିବା ତଥା ସ୍ବାଧୀନତା ପାଇବା ଲାଗି ଅଧିକ ଆଗ୍ରହୀ ଦେଶଗୁଡ଼ିକ ୟୁକ୍ରେନ୍ରେ ରୁଷିଆ ସେନାର ପରାଜୟକୁ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି। ରୁଷିଆ ହାରିଗଲେ ପୁଟିନ୍ଙ୍କର ଏକ ନବୀକରଣ ରୁଷିଆ ସାମ୍ରାଜ୍ୟର ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯିବ ଏବଂ ୟୁରୋପ ପ୍ରତି ସୃଷ୍ଟି ହେଉଥିବା ବିପଦର ଅନ୍ତ ଘଟିବ। ରୁଷୀୟ ସାମ୍ରାଜ୍ୟବାଦ ପରାଜୟର ଦୀର୍ଘମିଆଦୀ ପରିଣାମ ଅବଶିଷ୍ଟ ବିଶ୍ୱ ଉପରେ ପଡ଼ିବ। ଏହା ମୁକ୍ତ ତଥା ଗଣତାନ୍ତ୍ରିକ ସମାଜଗୁଡ଼ିକୁ ଅଧିକ ସହାୟକ ହେବାବେଳେ ଗଣତାନ୍ତ୍ରିକ ଧାରାରୁ ଦୂରେଇ ରହୁଥିବା ସମାଜଗୁଡ଼ିକ ପ୍ରତି ଭୟଙ୍କର ସମସ୍ୟା ସୃଷ୍ଟି କରିବ। ବଡ଼ କଥା ହେଉଛି, ଏହା ଜଳବାୟୁ ପରିବର୍ତ୍ତନ ଭଳି ବୃହତ୍ ସମସ୍ୟା ଉପରେ ବିଶ୍ୱର ଦୃଷ୍ଟି କେନ୍ଦ୍ରିତ କରିବାରେ ସାହାଯ୍ୟ କରିବ।
ପ୍ରତିଷ୍ଠାତା ଓ ଅଧ୍ୟକ୍ଷ,
ଓପନ୍ ସୋସାଇଟି ଫାଉଣ୍ଡେଶନ