ତମ୍ବା ପଇସାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ

ନୂଆପଡା ଅଫିସ,୨୮ା୮
ବହୁ ଚର୍ଚ୍ଚିତ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି ନୂଆପଡା ପୋଲିସ । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କେରମେଲି ଗାଁର ଅଚ୍ୟୁତ ମାଝୀ(୩୪), ନିରଞ୍ଜନ ମାଝୀ(୨୫) ଏବଂ ସିଆଲଟିର ତୁଳାରାମ ମାଝୀ(୩୨)। ଅଭିଯୁକ୍ତଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ଠେଙ୍ଗା ଉଦ୍ଧାର ହୋଇଛି ା ସେମାନଙ୍କ ବିରୁଦ୍ଧରେ ଦଫା ୩୦୨, ୨୦୧(୩୪) ରେ ଏକ ମାମଲା (ନଂ.୧୦୩/୨୦) ରୁଜୁ କରି ଗୁରୁବାର ସନ୍ଧ୍ୟାରେ ନୂଆପଡା କୋର୍ଟକୁ ଚାଲାଣ କରାଯାଇଛି । ତମ୍ବା ପଇସା କିଣାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା ବୋଲି ଏସ୍‌ଡିପିଓ ପ୍ରଶାନ୍ତ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ଗତ ୧୫ତାରିଖରେ ଘାଟିପଡା ଗାଁର ପିଣ୍ଟୁ ସାହୁ(୨୫) ନାମକ ଜଣେ ଯୁବକ ନିଜ ସମ୍ପର୍କୀୟ କାକା ଡମ୍ବରୁ ସାହୁ, କୋମନା ଥାନା ଅନ୍ତର୍ଗତ ରେଙ୍ଗାବାହାଲ ଗାଁର ପଦ୍ମନ ମାଝୀ(୪୫)ଙ୍କ ସହ ମିଶି କେରମେଲି ପାହାଡ ଅଭିମୁଖେ ବାହାରିଥିଲେ। ଡମ୍ବରୁ ପାହାଡ ତଳେ ଅଟକି ରହିଥିବାବେଳେ ପଦ୍ମନ ଏବଂ ପିଣ୍ଟୁ ଉପରକୁ ଚଢିଥିଲେ। ସେଠାରେ ଯୋଜନା ମୁତାବକ ତମ୍ବା ପଇସା ବିକ୍ରି କରିବାକୁ ଅଚ୍ୟୁତ, ନିରଞ୍ଜନ ଏବଂ ତୁଳାରାମ ଅଟକି ରହିଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ତମ୍ବା ପଇସା କିଣାବିକାକୁ ନେଇ ବାକ୍‌ ବିତଣ୍ଡା ହୋଇଥିଲା । ଶେଷରେ ଅଭିଯୁକ୍ତ ତିନିଜଣ ଠେଙ୍ଗା ସାହାଯ୍ୟରେ ପିଣ୍ଟୁ ଏବଂ ପଦ୍ମନଙ୍କୁ ନିସ୍ତୁକ ପିଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ଜୀବନ ଚାଲିଯାଇଥିଲା। ଏହାପରେ ଅଭିଯୁକ୍ତମାନେ ସେମାନଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟି ନେଇ ମୃତଦେହ ଦୁଇଟିକୁ ବଙ୍ଗାଘାଟରେ ଫିଙ୍ଗି ଦେଇଥିଲେ। ସେପଟେ ବିଳମ୍ବ ହେବାରୁ ପାହାଡ ତଳେ ଜଗି ରହିଥିବା ଡମ୍ବରୁ ଘରକୁ ଫେରିଆସିଥିଲେ। ପରବର୍ତ୍ତୀ ସମୟରେ ପୋଲିସ ଡମ୍ବରୁଙ୍କ ବୟାନକୁ ଭିତ୍ତି କରି ତଦନ୍ତ ଚଳାଇଥିଲା। ଶେଷରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଥିଲା ।

Share