ଢେଙ୍କାନାଳ ଅଫିସ, ୧୩।୧୦- ଐତିହ୍ୟସମ୍ପନ୍ନ ଜିଲା ଢେଙ୍କାନାଳ। ଜିଲାର କୋଣ ଅନୁକୋଣରେ କୀର୍ତ୍ତିରାଜିର ସମ୍ଭାର। ରାଜାରାଜୁଡ଼ା ଅମଳର ସଂଗ୍ରାମ ହେଉ କି ଗଡ଼ଜାତ ଆନ୍ଦୋଳନ ଅବା ସ୍ବାଧୀନତା ସଂଗ୍ରାମ ସବୁ କିଛି ଦେଖିଛି ଓଡ଼ିଶାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ଜିଲା। ଏସବୁ ଇତିହାସକୁ ଲୋକଲୋଚନକୁ ଆଣିବାକୁ ୪୦ବର୍ଷ ତଳେ ପ୍ରତିଷ୍ଠା କରାଯାଇଥିଲା ସଂଗ୍ରହାଳୟ। ତେବେ ସଂସ୍କୃତି ବିଭାଗର ଅବହେଳାରୁ ଐତିହ୍ୟ ଅଧ୍ୟୟନ କେନ୍ଦ୍ର କୁହାଯାଉଥିବା ସଂଗ୍ରହାଳୟର ଭାଗ୍ୟ ବଦଳୁନି। ଏ ଜାଗାରୁ ସେ ଜାଗାକୁ ଘୂରି ବୁଲିବା ପରେ ଯଦିଓ ଏହାକୁ ସ୍ଥାୟୀ ଠିକଣା ମିଳିଛି ତଥାପି ସରକାରୀ ଅନୁଦାନ ଆସୁ ନ ଥିବାରୁ ଏହା ଆଗକୁ ବଢ଼ିପାରୁନାହିଁ।
ଜିଲା ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୧୯୭୯ରେ ଏକ ସରକାରୀ କ୍ୱାର୍ଟର୍ସରେ ଆରମ୍ଭ ହୋଇଥିଲା ଜିଲା ସଂଗ୍ରହାଳୟ। ୧୯୯୯ରେ ଜିଲା କ୍ରୀଡ଼ା ସଂସଦର ଏକ ପ୍ରକୋଷ୍ଠକୁ ଏହାର ଠିକଣା ବଦଳିଲା। ଏହାପରେ ଏମ୍ପିଙ୍କ ଆଞ୍ଚଳିକ ବିକାଶ ପାଣ୍ଠି (ଏମ୍ପି ଲାଡ୍)ରେ ନିର୍ମିତ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ପରିସରକୁ ଏହା ସ୍ଥାନାନ୍ତର ହୋଇଥିଲା। ସେଠାରେ ଏକ ଛୋଟିଆ ପ୍ରକୋଷ୍ଠରେ ଜିଲା ସଂଗ୍ରହାଳୟ କାର୍ଯ୍ୟ କରୁଛି। ୨୦୧୭ ନଭେମ୍ବର ୧୮ରେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ମିଳିଥିବା ୭ ଲକ୍ଷ ଟଙ୍କା ଅନୁଦାନରେ ଏହାର ନବୀକରଣ କାମ ଆରମ୍ଭ ହୋଇଥିଲା। ଏହାପରେ ଉନ୍ନତୀକରଣ ପାଇଁ ଟଙ୍କାଟିଏ ମଞ୍ଜୁର ହୋଇନାହିଁ। ସଂଗ୍ରହାଳୟ ଛୋଟିଆ ପ୍ରକୋଷ୍ଠରେ କାର୍ଯ୍ୟକ୍ଷମ ରହିଛି, ଯେଉଁଠି ୧୦ରୁ ଅଧିକ ଦର୍ଶକ ଏକାସଙ୍ଗରେ ବୁଲିପାରିବେ ନାହିଁ। ଏବେ ସଂଗ୍ରହାଳୟରେ ରାଜାରାଜୁଡା ଅମଳର ଯୁଦ୍ଧକ୍ଷେତ୍ରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର, ତୋପ, ହସ୍ତଶିଳ୍ପ କାରୁକାର୍ଯ୍ୟ, ଜଙ୍ଗଲଜନ୍ତୁଙ୍କ ମୃତଦେହ ପ୍ରତିକୃତି ଆକାରରେ ସଂରକ୍ଷିତ କରି ରଖାଯାଇଛି। ହେଲେ ଆବଶ୍ୟକ ଭିତ୍ତିଭୂମି ଅଭାବ ଏବଂ ପ୍ରଚାର ପ୍ରସାର ହେଉ ନ ଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁନାହିଁ। କରୋନା କାଳରେ ସରକାର ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଉଥିବାବେଳେ ଜିଲା ସଂଗ୍ରହାଳୟ ଭିତ୍ତିଭୂମି ବିକାଶ ଲାଗି ପଦକ୍ଷେପ ନିଆଗଲେ ଏହା ପର୍ଯ୍ୟଟକଙ୍କୁ ଟାଣିପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ବାଇଁ କୁହନ୍ତି, ୨୦୧୭ ପରେ କୌଣସି ଅନୁଦାନ ଆସିନାହିଁ। ଜିଲା ସଂଗ୍ରହାଳୟର ପରିସରକୁ ବ୍ୟାପକ କରିବାକୁ ଯୋଜନା ରହିଛି। କିଛିଦିନ ତଳେ ରାଜ୍ୟ ସଂସ୍କୃତି ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟ ବିଭାଗର ଅଧିକାରୀମାନେ ଏହାକୁ ପରିଦର୍ଶନ କରି ଯାଇଛନ୍ତି।