Categories: ଫୁରସତ

ବଲ୍‌ବ ପରି ଜଳେ ଏହି ଛତୁ

ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି ବ୍ୟଞ୍ଜନ ଥିଲେ ଖାଇବା ଜମିଯାଏ। ତେବେ ବିଭିନ୍ନ ପ୍ରକାରର ଛତୁ ମଧ୍ୟରେ କେବେ ଏଭଳି ଛତୁ ସମ୍ପର୍କରେ ଜାଣିଛନ୍ତି କି, ଯାହା ରାତିର ଅନ୍ଧକାରରେ ବଲ୍‌ବ ପରି ଜଳିଥାଏ। ଅବା ଜୁଳୁଜୁଳିଆ ପୋକ ପରି ଆଲୋକ ତା’ ମଧ୍ୟରୁ ବାହାରିଥାଏ। ଅନେକେ ହୁଏତ ଜାଣି ନ ଥିବେ। ତେବେ ଏଭଳି ଏକ ଛତୁର ପ୍ରକାର ଅଛି। ଆଉ ସେପୁଣି ଭାରତରେ ଦେଖାଯାଏ। ଗୋଆର ମାହଡେଇ ୱାଇଲ୍ଡ ଲାଇଫ୍‌ ସାଙ୍କଚୁଆରିରେ ଏହି ଛତୁ ଦେଖିବାକୁ ମିଳୁଛି। ରାତିର ଘନ ଅନ୍ଧକାରରେ ଏହା ବଲ୍‌ବ ପରି ଜଳିବା ଭଳି ଦେଖାଯାଏ। ଏହି ଦୃଶ୍ୟ ବେଶ୍‌ ରୋମାଞ୍ଚକର ଲାଗେ। ତେବେ ଦିନର ଆଲୋକରେ ଏହା ସାଧାରଣ ଛତୁ ପରି ଦେଖାଯାଏ। ବିଶେଷଜ୍ଞଙ୍କ ଅନୁସାରେ ଏହି ଛତୁର ନାମ ହେଉଛି ‘ମାଇସେନା ଜିନସ୍‌’। ରାତିରେ ଆଲୋକ ନିସୃତ କରିବାର କାରଣ ହେଉଛି, ଏହା ଉପରେ ଥିବା ବିଜାଣୁ, କିଟପତଙ୍ଗ ଜରିଆରେ ଜଙ୍ଗଲର ଅନ୍ୟ ସ୍ଥାନକୁ ବ୍ୟାପିବା ଏବଂ ଏହାର ବଂଶବୃଦ୍ଧି ହେବା। ଏହା ଏକ ଖାସ୍‌ ପ୍ରକାରର କବକ ଅଟେ। ସାରା ପୃଥିବୀରେ ଆଲୋକ ନିସୃତ କରୁଥିବା ୫୦ ପ୍ରକାରର ଛତୁ ଅଛି। ଗୋଆରେ ମିଳିଥିବା ଛତୁ କେବଳ ବର୍ଷାଦିନେ ଦେଖିବାକୁ ମିଳନ୍ତି।

Share