ଦର ଅଧିକରୁ ମଟନ ବ୍ୟବସାୟ ମାନ୍ଦା

ବ୍ରହ୍ମପୁର,୨୯।୧୧(ତନୁଶ୍ରୀ ନାହାକ): ଧର୍ମ ମାସ କାର୍ତ୍ତିକ ସରିଛି। ମାସେ ହେଲା ରେଶମ ସହରର ଆମିଷ ବଜାର ମାନ୍ଦା ଥିବାବେଳେ ମଙ୍ଗଳବାର ଛାଡ଼ଖାଇ ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ମାସେ ହେଲା ହାତ ବାନ୍ଧି ବସିଥିବା ବେପାରୀମାନେ ଛାଡ଼ଖାଇରେ ଆମିଷ ଦର ଅଧିକା କରିଛନ୍ତି। ବିଶେଷକରି ସହରର ମଦ୍ଦର୍ର୍ରାଜ ଭେଣ୍ଡିଂଜୋନ, ଗିରି ମାର୍କେଟ, ବିଜିପୁର, ଗୋଷାଣୀନୂଆଗଁା, ବଡ଼ବଜାର, ଗେଟ ବଜାରରେ ସକାଳୁ ଆମିଷ କିଣିବା ନିମନ୍ତେ ଗ୍ରାହକଙ୍କ ଭିଡ଼ ଜମିଥିଲା। ବଜାରରେ ଖାସି ମଟନ ଦର ଅଧିକ ଥିବାରୁ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଓ ଚିକେନ ପ୍ରତି ଗ୍ରାହକଙ୍କ ପସନ୍ଦ ଥିଲା। ମାଛ ଦର ୧୬୦ରୁ ଆରମ୍ଭ ହୋଇ ୪୬୦ ପର୍ଯ୍ୟନ୍ତ ଥିଲା। ସେହିପରି ପାଣି ଚିଙ୍ଗୁଡ଼ି ଦର କମ୍‌ ରହିଥିଲେ ସୁଦ୍ଧା ସମୁଦ୍ର, ଚିଲିକା ଚିଙ୍ଗୁଡ଼ି, ଟାଇଗର ଚିଙ୍ଗୁଡ଼ି ଦର ୪୦୦ରୁ ଆରମ୍ଭ ହୋଇ ୨୪୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ି କଙ୍କଡ଼ା ଦର ମଧ୍ୟ ୪୦୦ରୁ ଆରମ୍ଭ ହୋଇ ୨୪୦୦ ଟଙ୍କା ଥିଲା। ଚିକେନ ଦର ୧୮୦ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ମଟନ ୮୦୦ ଟଙ୍କା ଓ ଖାସି ମାସଂ ପାଖାପାଖି ୧୦୦୦ ଟଙ୍କା ଥିଲା। ତେଣୁ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମଟନ ବହୁତ କମ ବିକ୍ରି ହୋଇଥିବା ଦେଖିବାକୁ ମିଳିଥିଲା। ମାଛ ବ୍ୟବସାୟୀଙ୍କ ନିକଟରେ ପ୍ରବଳ ଭିଡ଼ ଲାଗି ରହୁଥିବା ବେଳେ ମଟନ ଦୋକାନକୁ ଯାଇ ବହୁ ଗ୍ରାହକ ଦର ଶୁଣି ଫେରି ଆସୁଥିବା ଦେଖିବାକୁ ମଳିଥିଲା। ତେବେ ସହରରେ ମାଛ ପ୍ରାୟ ୨ ଟନରୁ ଅଧିକା ବିକ୍ରି ହୋଇଥିବା ବେଳେ ଚିକେନ ଓ ମଟନ ବିକ୍ରି ମାନ୍ଦା ପଡ଼ିଥିବା ବ୍ୟବସାୟୀଙ୍କ ଠାରୁ ପ୍ରକାଶ।