କେସିଙ୍ଗା/ଭବାନୀପାଟଣା, ୨୨।୨ କଳାହାଣ୍ଡି ଜିଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା ୩ ଜଣିଆ କେନ୍ଦ୍ରୀୟ ଟିମ୍ ରବିବାର ଦିଲ୍ଲୀ ଫେରି ଯାଇଛନ୍ତି। ଏହି ଟିମ୍ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳିପଦର ଓ ଘୁଷୁରିଗୁଡି ସହ ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଥିଲେ। ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି। ଏପରି କି କେନ୍ଦ୍ରୀୟ ଟିମ୍ ୫ଟି ସ୍ଥାନରୁ ସାମ୍ପୁଲ ନେଇଛନ୍ତି । ରବିବାର ସନ୍ଧ୍ୟାରେ ଭବାନୀପାଟଣାରେ କେନ୍ଦ୍ରୀୟ ଟିମ୍ ବିଶେଷଜ୍ଞମାନେ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଏଥିରେ ଡ. କରିକାଳନ ମାଥେସ, ବୈଜ୍ଞାନିକ ସେଣ୍ଟର ଅଫ୍ ୱାଇଲଡ୍ ଲାଇଫ, ଡ. ପି.ପି. ପଣ୍ଡା କୋଅର୍ଡିନେଟର ନ୍ୟାଶନାଲ ଏଲିଫ୍ୟାଣ୍ଟ ସେଣ୍ଟର, ପ୍ରଫେସର ଡ. ନିରଞ୍ଜନ ସାହୁ, କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି. ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସକ ପ୍ରତାପ କିଶୋର ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ, କେନ୍ଦ୍ରୀୟ ଟିମ ମୃତ୍ୟୁ ସ୍ଥାନ ପରିଦର୍ଶନ ବେଳେ ଶନିବାର ଆଉ ଏକ ଶାବକ ହାତୀର ଗଳିତ ମୃତଦେହ ଠାବ କରାଯାଇଥିଲା। ଫଳରେ ଏହାକୁ ମିଶାଇ ଗତ ୨୦ ଦିନରେ ହାତୀ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି।