ସୋର,୧।୮: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଏଥିସହ ପୋଲିସର ତଦନ୍ତକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୋଲିସ ତଦନ୍ତ ଉପରୁ ଭରସା ତୁଟି ଗଲାଣି । ଘଟଣାକୁ ୨୧ ଦିନ ବିତିଯାଇଥିବା ବେଳେ ପୋଲିସ କାହାରିକୁ ଗିରଫ କରି ନାହିଁ । ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସିବ ବୋଲି ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି। ଜୁଲାଇ ୧୩ରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା।
ସୌମ୍ୟଙ୍କୁ ପୋଡ଼ି ମାରି ଦିଆଯାଇଥିବା ପରିବାର ଲୋକଙ୍କ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ ପଚରାଉଚୁରା କରିଥିଲା। ଏପରି କି ପୋଲିସ ସୌମ୍ୟଙ୍କ ଗାଁ ଓ ବିଦ୍ୟାଭାରତୀଙ୍କ ଗାଁକୁ ଯାଇ ତଦନ୍ତ କରିସାରିଛି। ହେଲେ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସୌମ୍ୟଙ୍କ ଭାଇ ଅଭିଯୋଗ କରିଛନ୍ତି।