ବିକାଶର ନାମ ବିଜ୍ଞାପନ

ପେଟ ଚାଖଣ୍ଡକ ପୂରିଗଲେ କଥା ସରିବା କଥା। ହେଲେ ସର୍ବଗ୍ରାସୀ ଲୋଭ, ସବୁକୁ ନିଜର କରିବାର ପ୍ରୟାସରୁ ଅନେକେ କ୍ଷତିଗ୍ରସ୍ତ ହେଉଛନ୍ତି। ହେଇ ଦେଖୁନାହାନ୍ତି ନୀରବ ମୋଦି ଓ ବିଜୟ ମାଲ୍ୟାଙ୍କ ପରି ବ୍ୟକ୍ତିବିଶେଷ କେତେ ଠକି ନେଲେ ଯେ ତାକୁ ହିସାବ କଲେ ମୁଣ୍ଡବିନ୍ଧାର କାରଣ ହେବ। ଏମାନେ ତ ଧରାପଡ଼ିଲେ। ହେଲେ ଏମିତି ଜୋକସବୁ ଭାରତକୁ ସବୁଦିନ ଧୀରେ ଧୀରେ ମୃତ୍ୟୁର ଶୀତଳ ସ୍ପର୍ଶ ଦେଉଛନ୍ତି, ତା’ର ହିସାବ ନାହଁି। ହେଇ ଦେଖନ୍ତୁ ନା ଏଇ ନିକଟରେ ଶ୍ରୀଲଙ୍କା ପରି ଏକ ସୁନାର ଦେଶର ଅର୍ଥନୀତି କେତେକ ସ୍ବାର୍ଥୀ ଲୋକଙ୍କ ଯୋଗୁ ଶ୍ରୀହୀନ ହୋଇଗଲା। ଖବର ଶୁଣି ବୁଦ୍ଧିଜୀବୀମାନେ ଭବିଷ୍ୟତ ବାଣୀ କଲେ, ଭାରତର ଅବସ୍ଥା ମଧ୍ୟ ସେଇ ଦିଗକୁ ଧୀରେ ଧୀର ଅଗ୍ରସର ହେଉଛି। ଶୁଣି ଭୟ ଲାଗୁଛି। ହୁଏତ ଏମିତି ଅବସ୍ଥା ଆସିବାକୁ ଦଶ ବା ପନ୍ଦରରୁ ଆରମ୍ଭ କରି ଆଉ କିଛି ଅଧିକ ସମୟ ଲାଗିପାରେ। ହେଲେ ପ୍ରଶ୍ନ ଉଠେ କେତେ ଲୋକ ଏଇ କଥାକୁ ବୁଝିଲେ ଓ ତା’ର ନିରାକରଣ ପାଇଁ ଚେଷ୍ଟା କଲେ। ବୋଧହୁଏ ଏମିତି ସଂଖ୍ୟା ଶୂନ ହେବ।
ବିକାଶର ଅର୍ଥ ନୁହଁ ବିଜ୍ଞାପନ। ବିକାଶ ଗୋଟିଏ ଏମିତି ଶବ୍ଦ ଯାହାକୁ ଦେଖିଲେ ଅନୁଭବ କରିହୁଏ। ଏଥିପାଇଁ ପେଁକାଳି, ବାଜା ବଜାଇ ଖବର ପ୍ରସାରଣର ଆବଶ୍ୟକତା ନାହିଁ। ଏହାଦ୍ବାରା କେତେକ ନିର୍ଦ୍ଦିିଷ୍ଟ ଶ୍ରେଣୀର ଲୋକେ ତ ଭ୍ରମିତ ହେବେ ଏଥିରେ ସନ୍ଦେହ ନାହିଁି। ସକାଳୁ ସକାଳୁ ପୋଖରୀ ବା ନଳକୂଅ ପାଖେ କଳାମଚମଚ ଲୋକଟିଏ ମୁହଁରେ କ୍ରିମ୍‌ ମାରି ଧଳା ହେବାର ପ୍ରୟାସରେ ମାତିଥାଏ। କାରଣ ଖୋଜିଲେ ଲାଗେ କୌଣସି ବିଜ୍ଞାପନର କମାଲ ନୁହେଁ ତ। ଯାହା ବି ହେଉ କବିସୂର୍ଯ୍ୟଙ୍କ ମତ ମନେପଡ଼େ ”ଦେହେ ମନ୍ଦାକିନୀ ରଜ ଲଗାଇ ଗ୍ରାମ ଶୂକରୀ କି ହୋଇବ ଗାଈ।“ ହେଲେ ବି ଚେଷ୍ଟା କରି ବିଫଳ ହେବା ମଧ୍ୟ ଏକ ଉତ୍ତମ ଗୁଣ, ଏଥିରେ ସନ୍ଦେହର ଅବକାଶ ନାହିଁ। ଏମିତି କେତେଦିନ ଚାଲିବ।
ମଣିଷ ସୁଖ ସୁବିଧା ପଛରେ ଏମିତି ପଡିଛି ଯେ, ସେ ବୁଝି ପାରୁନି ସୁଖର ବାସ୍ତବିକ ସ୍ବରୂପକୁ। ରାତିର ନିଦ ପାଇଁ ନିଦ ବଟିକା ଦରକାର, ଡାଇବେଟିସ୍‌ ଯୋଗୁ ସ୍ବାଦ ଯୁକ୍ତ ଖାଦ୍ୟ ବାରଣ, ଗଦିରେ ଶୋଇ ଅଣ୍ଟା ବ୍ୟଥା…ଏମିତି ହିସାବ ନାହିଁ। କ’ଣ ଏହା ସବୁ ସୁଖର ସଂଜ୍ଞା ? ବାସ୍ତବରେ ସୁଖ ହଜିଯିବା ପରି ପ୍ରତୀତ ହେଉଛି। ଆଜିକାଲି ସବୁ ତ ସରକାର ଯୋଗାଇ ଦେଉଛନ୍ତି। ଟଙ୍କିକିଆ ଚାଉଳ, ପାଞ୍ଚ ଟଙ୍କିଆ ଆହାର, ଇନ୍ଦିରା ଆବାସ, ଉଜ୍ଜଳା ଗ୍ୟାସ୍‌ ଏମିତି ଅନେକ କିଛି ଯୋଗୁ ବିକାଶ ତ ଖୁବ୍‌ ଜୋରରେ ଆଗେଇ ଯାଉଛି ବୋଲି ବିଜ୍ଞାପନ କହି ବୁଲୁଛି। ତଥାପି ହା ହତାଶାର ସ୍ବର ପୁରପଲ୍ଲୀରେ ଶୁଣାଯାଉଛି। ବାସ୍ତବରେ ଦୂର ପାହାଡ଼ ସିନା ସୁନ୍ଦର, କିନ୍ତୁ ପାଖରୁ ଦେଖିଲେ ଟାଙ୍ଗର ଭୂଇଁ ଛଡ଼ା ଆଉ କିଛି ନୁହେଁ। ମାଗଣାର ମୋହ କେତେଲୋକଙ୍କୁ ଝିଣ୍ଟିକା ପରି ଅଳସୁଆ କରିପକାଇଲାଣି, ତା’ର ହିସାବ ନାହିଁ। ଖାଲି କେଉଁଠି କ’ଣ ମିଳିବ ତା’ର ଠିକଣା ଖୋଜା ଚାଲିଛି। ଭାରତ ଏକ ଗଣତାନ୍ତ୍ରିକ ଦେଶ। ସବୁଠାରୁ ଭଲ ବ୍ୟବସ୍ଥାର ଦେଶ। କାରଣ ଏଠି ଗଣ ହେଉଛନ୍ତି ଦେବତା। ଏମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଶାସନ ବ୍ୟବସ୍ଥାକୁ ଚଳାଇବା କଥା। ବାସ୍ତବରେ କିନ୍ତୁ ଏମିତି କିଛି ହେଉନାହିଁ । ଭୋଟ ସମୟ ଆସିଗଲେ କୋଉଠୁ ବେଶି ନୋଟ, ମଦ ଓ ମାଂସ ମିଳିବ ତା’ର ଅନ୍ବେଷଣରେ ଗଣ ବ୍ୟସ୍ତ ରହୁଛି। ଆଉ ଏଇ ଗଣମାନଙ୍କୁ ଭ୍ରମିତ କରିବା ପାଇଁ କିଛି ବିଜ୍ଞାପନ ଓ କିଛି ଅର୍ଥର ବ୍ୟବସ୍ଥା କରିପାରିଲେ କଥା ଶେଷ। ପାଞ୍ଚବର୍ଷ ପାଇଁ ଆଉ ଚିନ୍ତା ନାହିଁ। ପୁଣି ପାଞ୍ଚବର୍ଷ ପରେ ସେଇ ଚିରାଚରିତ ଢଙ୍ଗରେ ମଞ୍ଚ ଉପରେ ପ୍ରଦର୍ଶନ କରିବାର କଥା।
ଖାଲି ଖର୍ଚ୍ଚ ଓ ବ୍ୟୟ ବରାଦର ସୁବନ୍ଦୋବସ୍ତ ଚାଲିଛି। ଏମିତି ଅବସ୍ଥା ଯୋଗୁ ମୁଣ୍ଡପିଛା ଋଣ ଭାର ବଢ଼ିଚାଲିଛି। କିନ୍ତୁ କେତେକ ସ୍ବାର୍ଥନ୍ବେଷୀ ମୁଷ୍ଟିମେୟ ଶ୍ରେଣୀର ଲୋକ ନିଜର ପକେଟ ଭରିବା ସହିତ ସୁଇସ ବ୍ୟାଙ୍କର ପୁଞ୍ଜି ବୃଦ୍ଧିରେ ସହାୟକ ହେଉଛନ୍ତି। ଏମିତି ଅବସ୍ଥା ଅବଶ୍ୟ ଅଧିକ ଦିନ ରହିବ ନାହିଁ। ଅର୍ଥନୀତି ବିଗିଡିବାର ପ୍ରତିକ୍ରିୟା ତ ପ୍ରତ୍ୟହ ସାମାଜିକ ଅବସ୍ଥା ଭିତରେ ପ୍ରତିଫଳିତ ହେଉଛି। ବେକାରି ସମସ୍ୟା ତନ୍ମଧ୍ୟରୁ ଅଧିକ ଭୟଙ୍କର। ବେକାରି ସମସ୍ୟା ମନୁଷ୍ୟକୃତ ପରି ବେଳେ ବେଳେ ଲାଗେ। ସାଧାରଣ କଥା ଚାଷୀ, ତା ବିଲରେ ବାଳୁଙ୍ଗା ଦେଖିଲେ ଉପାଡି ଦିଏ। କିନ୍ତୁ ସବୁଠାରୁ ଶ୍ରେଷ୍ଠ ବ୍ୟବସ୍ଥା ଅର୍ଥାତ୍‌ ଶିକ୍ଷା ବ୍ୟବସ୍ଥା ଭିତରେ ଏମିତି ହୁଏ ନାହିଁ। ନବମ ଶ୍ରେଣୀ ଯାଏ ତ ପାସ୍‌ ଫେଲ୍‌ ବ୍ୟବସ୍ଥା ନାହିଁ । ସମସ୍ତେ ପାସ୍‌ ହୋଇ ଆଗକୁ ଯିବେ। ଏପରି କି ଦଶମ ଶ୍ରେଣୀରେ ଇ ଗ୍ରେଡ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପଛର କାରଣ ଅସ୍ପଷ୍ଟ। ଆଗେ ଦଶମ ପାସ୍‌ ବ୍ୟକ୍ତି ମାଜିଷ୍ଟ୍ରେଟ ହେବାର କ୍ଷମତା ରଖୁଥିବା ବେଳେ ଏବର ବିଏ ପାସ୍‌ ଦରଖାସ୍ତ ମଧ୍ୟ ଲେଖିବାକୁ ଅସମର୍ଥ। ଏମିତି ହେଲେ ତ ଲାଗୁଛି ବେକାରି ସମସ୍ୟା ବଢ଼ିବ। ଶିକ୍ଷାର ଅର୍ଥ ନୁହଁ ଖଣ୍ଡେ ପ୍ରମାଣପତ୍ର। ଏହା ଏକ ରାସ୍ତା ବା ସୁଚିନ୍ତିତ ଯୋଜନା ଜୀବନକୁ ଜିଇବା ପାଇଁ। ଏହା ଆଗକୁ ବଢ଼ିବା ପାଇଁ ଏକ ମାଧ୍ୟମ। ଏହା ବିଷୟରେ ସଚେତନତା ଆବଶ୍ୟକ। ଏଥିପାଇଁ ଯୋଜନାର ଆବଶ୍ୟକତା ରହିଛି। ଶିକ୍ଷା ବ୍ୟବସ୍ଥାରେ ପିଲାଙ୍କ ଆଗ୍ରହ ଅନୁଯାୟୀ ପାଠ୍ୟକ୍ରମ ରଖିଲେ, ହୁଏତ କିଛି ଅଗ୍ରଗତି ଦେଖିବାକୁ ମିଳିପାରେ। ପୁନଶ୍ଚ ଏତିକି କହିବି ବିଜ୍ଞାପନରେ ବିକାଶକୁ ସୀମିତ ନ ରଖି, ବାସ୍ତବରେ ପ୍ରଗତିମୂଳକ କାର୍ଯ୍ୟ କରି ମୁଣ୍ଡ ପିଛା ଋଣ ଭାରକୁ କମାଇବାକୁ ଚେଷ୍ଟା କଲେ ଅନ୍ତତଃ ଭାରତ ଶ୍ରୀଲଙ୍କା ପରି ଦିନ ନ ଦେଖନ୍ତା। ସମସ୍ୟା ଏତେ ଗୁରୁତର ଯେ ଭାବିଲେ ଭବିଷ୍ୟତ ଅନ୍ଧକାର ସଦୃଶ ଦୃଶ୍ୟମାନ ହୁଏ।

ଡ. ମାନସ ରଞ୍ଜନ ରଥ
ଅଧ୍ୟାପକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲାଞ୍ଜିଗଡ଼, କଳାହାଣ୍ଡି
ମୋ: ୯୦୪୦୧୦୦୨୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri