ରେଷ୍ଟୁରାଣ୍ଟର ନାଁ ସୋନୁ ସୁଦ୍‌ ରଖିଲେ ଏହି ବ୍ୟକ୍ତି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ନିରନ୍ତର ସାହାଯ୍ୟ ସହଯୋଗ କରିଆସୁଛନ୍ତି। ତାଙ୍କର ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି। ନିକଟରେ ସୋନୁ କରୋନା ମହାମାରୀ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ‘ଏଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ଆଓ୍ବାର୍ଡ’ ପାଇଛନ୍ତି। ଏପରିକି ଲୋକମାନେ ସୋନୁଙ୍କୁ ଭଗବାନ ଭାବରେ ସମ୍ବୋଧନ କରୁଛନ୍ତି। ଆହୁରି ମଧ୍ୟ ଅନେକ ପ୍ରଶଂସକ ନିଜ ନିଜ ଢଙ୍ଗରେ ସୋନୁଙ୍କୁ ପ୍ରଶଂସା କରିବାକୁ ଆଦୌ କୁଣ୍ଠାବୋଧ କରୁନାହାନ୍ତି। ବର୍ତ୍ତମାନ ଜଣେ ବ୍ୟକ୍ତି ତାଙ୍କ ରେଷ୍ଟୁରାଣ୍ଟର ନାମ ସୋନୁ ସୁଦ ରଖିଛନ୍ତି। ଏହି ବ୍ୟକ୍ତିଙ୍କ କାର୍ଯ୍ୟରେ ସୋନୁ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ସୋନୁଙ୍କୁ ଟ୍ୟାଗ୍‌ କରି ଜଣେ ୟୁଜର ଲେଖିଛନ୍ତି: ‘ବେଗମ୍‌ପେଟ୍‌ ହାଇଦ୍ରାବାଦର ଅନିଲ କୁମାରଙ୍କୁ ଭେଟ। ସେ ଚାଇନିଜ୍‌ ନାମ ହଟାଇ ସୋନୁ ସୁଦ ସାର୍‌ଙ୍କ ନାମ ଏବଂ ଫଟୋ ରଖିଛନ୍ତି। ସେ ମୋତେ କହିଥିଲେ ଯେ, ମୁଁ ଭଗବାନଙ୍କୁ କେବେ ବିଶ୍ୱାସ କରେ ନାହିଁ। କିନ୍ତୁ ପ୍ରକୃତ ଭଗବାନଙ୍କୁ ଦେଖିଛନ୍ତି। ସେ ହେଉଛନ୍ତି ସୋନୁ ସୁଦ। ୟୁଜରଙ୍କ ଏହି ଟୁଇଟ୍‌ରେ ସୋନୁ ଲେଖିଛନ୍ତି, କ’ଣ ଏଠାରେ ମୋତେ ଟ୍ରିଟ୍‌ ମିଳିବ? ସୋନୁଙ୍କ ଏହି ଟୁଇଟ୍‌ ଦେଖି ପ୍ରଶଂସକମାନେ ବେଶ୍‌ ମଜାଳିଆ କମେଣ୍ଟ ସବୁ ଦେଇଛନ୍ତି।

Share