Categories: ଫୁରସତ

ଗାଁର ନାଁ ଦୀପାବଳି

ଶ୍ରୀକାକୁଲମ: କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଆସୁଥିବା ଅମାବାସ୍ୟାକୁ ଦୀପାବଳି ଭାବେ ପାଳନ କରାଯାଇଥାଏ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ଗାର୍‌ ସବ୍‌ଡିଭିଜନ ଅନ୍ତର୍ଗତ ଦୀପାବଳି ନାମରେ ଏକ ଗାଁ ରହିଛି। ଏହି ଗାଁର ପରିବେଶ ପ୍ରତିଦିନ ପ୍ରାୟତଃ ଦୀପାବଳି ପରି ରହିଥାଏ ବୋଲି ନିକଟସ୍ଥ ଅନ୍ୟ ଗାଁର ଲୋକମାନେ କୁହନ୍ତି।
ଗାଁର ଲୋକମାନେ ଦୀପାବଳି ଅବସରରେ ୫ ଦିନ ଉତ୍ସବ ପାଳନ କରନ୍ତି। ଗ୍ରାମବାସୀ କହିଛନ୍ତି, ସେମାନେ ପ୍ରଥମେ ସେମାନଙ୍କ ପୂର୍ବପୁରୁଷଙ୍କୁ ପୂଜା କରିବା ଆରମ୍ଭ କରନ୍ତି ଏବଂ ଏହାପରେ ଦୀପାବଳି ପର୍ବ ପାଳନ କରିଥାନ୍ତି। ଗ୍ରାମର ନାମ ଦୀପାବଳି ହେବା ପଛରେ ମଧ୍ୟ ଏକ କିମ୍ବଦନ୍ତୀ ରହିଛି। ପ୍ରାଚୀନ କାଳରେ ଶ୍ରୀକାକୁଲାମର ଜଣେ ରାଜା ଏକଦା ଏହି ଗ୍ରାମ ଦେଇ ଭଗବାନ ଶ୍ରୀ କୁର୍ମନାଥ ଜୀଙ୍କର ଦର୍ଶନ ପାଇଁ ଯାଇଥିଲେ। ଯେତେବେଳେ ସେ ଦର୍ଶନ ସାରି ଫେରୁଥିଲେ ସେତେବେଳେ ଚେତା ହରାଇ ପଡ଼ିଥିଲେ। ଏହା ଦେଖି ଗାଁର ଲୋକମାନେ ଦୀପ ଧରି ରାଜାଙ୍କ ନିକଟକୁ ଯାଇ ତାଙ୍କୁ ପାଣି ଦେଇ ସେବା କରିଥିଲେ। ଯେତେବେଳେ ରାଜା ଚେତନା ଫେରିପାଇଲେ, ସେ ଗାଁର ନାମ ପଚାରିଲେ। ଗାଁର କୌଣସି ନିର୍ଦ୍ଦିଷ୍ଟ ନାମ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ରାଜା କହିଥିଲେ, ‘ତୁମେମାନେ ମୋତେ ଦୀପଗୁଡ଼ିକର ଆଲୋକ ସହ ସେବା କରିଛ, ତେଣୁ ଏହି ଗ୍ରାମର ନାମ ଆଜିଠାରୁ ଦୀପାବଳି ରହିବ।’
ଏହ ଗ୍ରାମରେ ରହୁଥିବା ସୋଡି ସମ୍ପ୍ରଦାୟର ଲୋକମାନେ ଦୀପାବଳି ଦିନ ପ୍ରଥମେ ପିତୃ ପୁରୁଷଙ୍କୁ ପୂଜା କରନ୍ତି ଏବଂ ପରେ ସେମାନେ ନୂତନ ପୋଷାକ ପିନ୍ଧନ୍ତି। ଏହି ଅବସରରେ ଗ୍ରାମର ପ୍ରତ୍ୟେକ ଘରେ ନୂତନ ଜ୍ବାଇଁଙ୍କୁ ସ୍ବାଗତ କରାଯିବା ସହ ଆତିଥ୍ୟ ସତ୍କାର ମଧ୍ୟ କରାଯାଇଥାଏ।

Share