Advertisement

ନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବ

ରାଉରକେଲା,୨୬।୧୧(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ହେଉଛି ଭାରତର ସର୍ବବୃହତ୍‌ ହକି ଷ୍ଟାଡିୟମ। ଏହି ଷ୍ଟାଡିୟମ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ମାତ୍ର ପରିତାପର ବିଷୟ ଏହି ହକି ଷ୍ଟାଡିୟମ ନାମ ଫଳକରୁ ଅନ୍ତର୍ଜାତୀୟ ଶବ୍ଦ ଗାଏବ ହୋଇଯାଇଥିଲେ ମଧ୍ୟ ତାହା ପୁନଃ ଉଲ୍ଲେଖ କରାଯାଉନାହିଁ। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଯିବା ପାଇଁ ସୂଚନା ପ୍ରଦାନ କରୁଥିବା ନାମଫଳକରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଅନ୍ତର୍ଜାତୀୟ ଶବ୍ଦ ନାହିଁ। ଯାହାକୁ ନେଇ ସହରର ହକି କ୍ରୀଡ଼ା ପ୍ରେମୀ, ସମୀକ୍ଷକ ଓ ସଙ୍ଗଠକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ହକି ପ୍ରୋ ଲିଗ୍‌ ଅନ୍ତର୍ଜତୀୟ ମ୍ୟାଚ୍‌ ଏହି ଷ୍ଟାଡିୟମରେ ହେବାକୁ ରହିଛି। ତେଣୁ ତୁରନ୍ତ ନାମ ଫଳକରେ ଅନ୍ତର୍ଜାତୀୟ ଶବ୍ଦକୁ ଉଲ୍ଲେଖ କରିବା ପାଇଁ ଦାବି ହେଉଛି।
ବରିଷ୍ଠ ହକି କ୍ରୀଡ଼ା ସମୀକ୍ଷକ ସୁଶାନ୍ତ ବେହେରା କୁହନ୍ତି, ୨୦ହଜାର ସିଟ୍‌ ବିଶିଷ୍ଟ ଦେଶର ବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନାମଫଳକରୁ ଅନ୍ତର୍ଜାତୀୟ ଶବ୍ଦକୁ ବାଦ୍‌ ଦିଆଯିବା ଦୁର୍ଭାଗ୍ୟର ବିଷୟ। ଆଗକୁ ପ୍ରୋ-ଲିଗ ରହିଥିବାରୁ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ନାମଫଳକରେ ତୁରନ୍ତ ଅନ୍ତର୍ଜାତୀୟ ନାମକୁ ମୁଦ୍ରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଏ ନେଇ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ଇନ୍‌ଚାର୍ଜ ବିଶ୍ୱଜିତ ମହାନ୍ତଙ୍କୁ ପଚାରିବାରୁ ସେ କହିଥିଲେ, ମୁଦ୍ରିତ ନାମଫଳକରେ ଅନ୍ତର୍ଜାତୀୟ ନାଁ ରହିବାର ଥିଲା। ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସହ କାଗଜପତ୍ରରେ ମଧ୍ୟ ଅନ୍ତର୍ଜାତୀୟ ଶବ୍ଦ ବ୍ୟବହାର ହେଉଛି। ମାତ୍ର ନାମଫଳକ ମଝିରେ ଏହି ଶବ୍ଦ ଲମ୍ବା ହେଉଥିବାରୁ ଏହାକୁ ପରିବର୍ତ୍ତନ କରାଗଲା। ପରିବର୍ତ୍ତିତ ନାମ ଫଳକ ଦେଖିବା ଓ ଶୁଣିବାକୁ ଭଲ ହେବାରୁ ଅନ୍ତର୍ଜତେୀୟ ନାମକୁ ଡ୍ରପ୍‌ କରାଗଲା। ଏହା ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରୁ ହୋଇଛି। ତେବେ ଏହାକୁ ମୁଦ୍ରଣ କରିବା ପାଇଁ ପ୍ରସ୍ତାବ ଦିଆଯିବ ବୋଲି ମହାନ୍ତ କହିଥିଲେ। ଏ ନେଇ ଷ୍ଟାଚ୍ୟୁ କମିଟି ସମ୍ପାଦକ ବିଜୟ ଟପ୍ପୋଙ୍କୁ ପଚାରିବାରୁ ସେ ଏ ବିଷୟରେ ମୁହଁ ଖୋଲି ନ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share