ଓଡ଼ିଶାର ୪ ଆଇନଜୀବୀଙ୍କ ନାମ କଲେଜିୟମ୍‌ର ସୁପାରିସ

କଟକ ଅଫିସ, ୧।୨: ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଏନ୍‌.ଭି. ରାମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍‌ ସୋମବାର ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ବିଚାରପତି ପାଇଁ ୧୭ଜଣଙ୍କ ନାମ ସୁପାରିସ କରିଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶା ହାଇକୋର୍ଟ ପାଇଁ ୪, ଆନ୍ଧ୍ରପ୍ରଦେଶ ୭ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟ ଲାଗି ୬ଜଣଙ୍କ ନାମ ରହିଛି। ଏଥିସହ ମାଡ୍ରାସ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟବିଚାରପତି ଭାବେ କାର୍ଯ୍ୟ କରୁଥିବା ମୁନିଶ୍ୱର ନାଥ ଭଣ୍ଡାରୀଙ୍କୁ ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେବାକୁ କେନ୍ଦ୍ରକୁ ସୁପାରିସ କରିଛନ୍ତି। ଗତ ୨୯ ତାରିଖରେ ଅନୁଷ୍ଠିତ ସୁପ୍ରିମ୍‌କୋର୍ଟ କଲେଜିୟମ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା। ଓଡ଼ିଶା ହାଇକୋର୍ଟ ବିଚାରପତି ପାଇଁ ଆଇନଜୀବୀ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ, ରମଣ ମୁରାହାରୀ ଓରଫ ଏମ୍‌.ଏସ୍‌. ରମଣଙ୍କ ନାମ ସୁପାରିସ କରାଯାଇଛି। ଉପରୋକ୍ତ ୪ଜଣ ବିଚାରପତିଙ୍କ ନାମକୁ ଯଦି କେନ୍ଦ୍ର ସରକାର ଅନୁମୋଦନ ଦିଅନ୍ତି ଏବଂ ପରେ ଏହାକୁ ରାଷ୍ଟ୍ରପତି ମୋହର ମାରନ୍ତି ତେବେ ଓଡ଼ିିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୨ ହେବ। ଓଡ଼ିିଶା ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଥିବାବେଳେ ଏବେ ୧୮ ଜଣ ବିଚାରପତି ଅଛନ୍ତି। ୪ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ମାମଲା ଫଇସଲାରେ ବିଶେଷ ସହାୟକ ହେବ।
ସୂଚନାଯୋଗ୍ୟ, ଆଇନଜୀବୀ ଭି. ନରସିଂହ ହେଉଛନ୍ତି ହାଇକୋର୍ଟର ପୂର୍ବତନ ବିଚାରପତି ସ୍ବର୍ଗତ ଭି. ଗୋପାଳ ସ୍ବାମୀଙ୍କ ପୁତ୍ର। ସେ ଆୟକର, ସର୍ଭିସ୍‌ ଲ’, କମର୍ସିଆଲ, ଫୌଜଦାରି, ଦେୱାନୀ ଓ ସାମ୍ବିଧାନିକ ମାମଲା ପରିଚାଳନା କ୍ଷେତ୍ରରେ ଦକ୍ଷତା ହାସଲ କରିଛନ୍ତି। ସେ ସିବିଆଇ ଓକିଲ ଭାବେ ମଧ୍ୟ ଅନେକ ମାମଲା ପରିଚାଳନା କରିଛନ୍ତି। ସେହିପରି ଆଇନଜୀବୀ ବିରଜା ପ୍ରସନ୍ନ ଶତପଥୀ ହେଉଛନ୍ତି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଭଗବାନ ଶତପଥୀଙ୍କ ପୁତ୍ର। ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ଶେଷ କରିବା ପରେ ସ୍ବର୍ଗତ ଅଶୋକ ମହାପାତ୍ରଙ୍କ ଅଧୀନରେ ଓକିଲାତି ପେସା ଆରମ୍ଭ କରିଥିଲେ। ସେହିପରି ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ମଧ୍ୟ ଜଣେ ବିଶିଷ୍ଟ ଆଇନଜୀବୀ। ସେ ହାଇକୋର୍ଟରେ ବହୁ ମାମଲା ପରିଚାଳନା କରିଛନ୍ତି। ଆଇନଜୀବୀ ରମଣ ମୁରାହାରୀ ଓରଫ୍‌ ଏମ୍‌.ଏସ୍‌. ରମଣ ଜଣେ ବିଶିଷ୍ଟ ଟ୍ୟାକ୍ସ ଲୟର୍‌। ସେ ପୂର୍ବରୁ ସେଲ୍‌ସ ଟ୍ୟାକ୍ସ ଟ୍ରିବ୍ୟୁନାଲ୍‌ରେ ବହୁ ମାମଲା ଦକ୍ଷତାର ସହ ପରିଚାଳନା କରିଛନ୍ତି। ଏଥିସହ ସେ ସେଲ୍‌ସ ଟ୍ୟାକ୍ସ ଉପରେ ଅନେକ ବହି ଲେଖିଛନ୍ତି।

Share