
ଭଦ୍ରକ/ନଳାଙ୍ଗ,୨୩।୩: (ସନାତନ ରାଉତ/ସାଇଶଙ୍କର ମହାକୁଳ): ଭଦ୍ରକ ବ୍ଲକର ଅଣ୍ଡେଇପଲ୍ଲୀସ୍ଥିତ ମିନତି ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ନୂତନ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଲଗାଯାଇଥିବା ଫଳକକୁ ସରପଞ୍ଚ ଓ ସମିତିସଭ୍ୟ ଭାଙ୍ଗି ଦେଇଛନ୍ତି। ଶନିବାର ଅପରାହ୍ନ ୪ଟାରେ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଥିବାବେଳେ ଫଳକରେ ସେମାନଙ୍କ ନାଁ ନ ଥିବାରୁ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଫଳକ ଭାଙ୍ଗି ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୩୪ ଲକ୍ଷ ୧୪ ହଜାର ୭୮୭ ଟଙ୍କା ବ୍ୟୟ ଅଟକଳରେ ଶ୍ରେଣୀଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ହେବାର ଥିଲା। ପୂର୍ବାହ୍ନ ୧୦ଟାରେ ଫଳକ ଲାଗିଥିଲା। ସେଥିରେ ମୁଖ୍ୟଅତିଥି ଏମ୍ପି ଅଭିମନ୍ୟୁ ସେଠୀ, ଅନ୍ୟତମ ଅତିଥି ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବ୍ଲକ ଅଧ୍ୟକ୍ଷା ଊର୍ମିଳା ନାୟକ ଓ ବିଡିଓ ରଶ୍ମିରଞ୍ଜନ ମଲ୍ଲିକଙ୍କ ନାମ ଉଲ୍ଲେଖ ରହିଥିଲା। ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କ ନାମ ସେଥିରେ ଉଲ୍ଲେଖ ନ ଥିଲା। ଏହାକୁ ନେଇ ସରପଞ୍ଚ ଗୌରୀ ମଲିକ ଓ ସମିତିସଭ୍ୟ ଦଶରଥ ସେଠୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ ସରପଞ୍ଚ ମଲିକ କହିଛନ୍ତି, ଫଳକରେ ନାଁ ଲେଖିବା ପାଇଁ ଠିକାଦାର ନାମ ପଚାରି ବୁଝିଥିଲେ। କିନ୍ତୁ ଆଜି ଫଳକରେ ସରପଞ୍ଚ, ସମିତିସଭ୍ୟଙ୍କ ନାଁ ନ ଥିବାରୁ ବିଡିଓଙ୍କୁ ଫୋନ୍ରେ ଜଣାଇଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ସେଥିପାଇଁ ଫଳକ ଭାଙ୍ଗି ଦିଆଯାଇଥିବା ସେ କହିଛନ୍ତି। ସମିତିସଭ୍ୟ ସେଠୀ ମଧ୍ୟ ଅନୁରୂପ ପ୍ରତିକ୍ରିୟା ରଖିଛନ୍ତି। ଅପରପକ୍ଷେ ଫଳକ ଭଙ୍ଗାଯିବାରୁ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ବାତିଲ୍ ହୋଇଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।