ସହର ତାଲିକାରେ ଗାଁ ଭୋଟରଙ୍କ ନାମ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୨ହଜାର ଭୋଟରଙ୍କ ନାମ ଗାଁ ଓ ସହରରେ ରହିବା, ପୁଣି ଚଞ୍ଚକତା କରାଯାଇ ନୂଆ ୮୬୮ ଭୋଟରଙ୍କ ନାମ ନୟାଗଡ଼ ପୌରାଞ୍ଚଳ ତାଲିକାରେ ସାମିଲ କରାଯିବା ପରେ ପୌର ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନଚିହ୍ନ ଲାଗିଛି । ଏହି ଭୋଟର ତାଲିକାକୁ ବାତିଲ କରାଯାଇ ନୂଆ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରକାଶ କରା ନ ଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
୨୦୨୨ଜାନୁୟାରୀ ୫ରେ ପ୍ରକାଶିତ ଭୋଟର ତାଲିକାରେ ସିନ୍ଦୁରିଆର ରିହାନି ବିବି, ନିରୁଦ୍ଦିନ ଖାଁ, କୁମୁରୁଦ୍ଦିନ ଖାଁ, କେନ୍ଦୁଢ଼ିପିର ଛାୟାରାଣୀ ଦଳବେହେରା, ଅଶୋକ ଦଳବେହେରା, ଇକିରିର ରଜତ ପଟ୍ଟନାୟକଙ୍କ ପରି ନୟାଗଡ଼ ବ୍ଳକର ବିଭିନ୍ନ ଗାଁ ର ୨ ହଜାର ଭୋଟରଙ୍କ ନାମ ନୟାଗଡ଼ ମ୍ୟୁନିପାଲିଟି ଭୋଟର ତାଲିକାରେ ରହିଛି । ଏହି ଭୋଟରମାନେ ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇ ସାରିଛନ୍ତି । ସେମାନଙ୍କୁ ବାଦ୍‌ ନ ଦେଲେ ପୁଣି ନୟାଗଡ଼ ମ୍ୟୁନିସିପାଲିଟି ନିର୍ବାଚନ ବେଳେ ଭୋଟ ଦେବେ । ଗତ କିଛି ବର୍ଷ ହେଲା ଏପରି କେତେଜଣ ଭୋଟର ସହର ଓ ଗାଁରେ ଭୋଟ ଦେଇ ଆସୁଛନ୍ତି । ଏନେଇ ବିଭିନ୍ନ ସମୟରେ ଜିଲାପାଳ,ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ବି ସୁଫଳ ମିଳୁନାହିଁ। ସେହିପରି ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୭୭ରୁ ୯୨ପର୍ଯ୍ୟନ୍ତ୧୬ ବୁଥ୍‌ରେ ୧୭ ହଜାର ୩୫୯ ଭୋଟର ଅଛନ୍ତି । ସମ୍ପୃକ୍ତ ୧୬ ୱାର୍ଡର ଭୋଟରଙ୍କୁ ନେଇ ନୟାଗଡ଼ ମ୍ୟୁନିସିପାଲିଟି ୨୦୨୨ଫେବୃୟାରୀ ୧୦ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିଛି । ତେବେ ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ୧୬ଟି ୱାର୍ଡର ଭୋଟରଙ୍କଠାରୁ ନୟାଗଡ଼ ମ୍ୟନିସିପାଲିଟିର ଭୋଟର ତାଲିକାରେ ୮୬୮ ଭୋଟର ଅଧିକ ଅଛନ୍ତି । ନୟାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ୧୭ ହଜାର ୩୫୯ ଭୋଟର ଥିବାବେଳେ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ୧୮ ହଜାର ୨୨୭ ରହିଛି । ଏଥିରେ ବି ଚଞ୍ଚକତା କରାଯାଇଥିବା ଅଭିଯୋଗ ହେଇଛି ।
୩୦୦ରୁ ଊର୍ଦ୍ଧ୍ୱ ଭୋଟରଙ୍କୁ ଅଣଦେଖା: ନୟାଗଡ଼ ମ୍ୟୁନିସିପାଲିଟିର ୧୧ନଂ. ୱାର୍ଡରେ ୨୦୦ପରିବାର ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଭୋଟରଙ୍କ ନାମ ନାହିଁ। ଏହି ପରିବାର ମ୍ୟୁନିସିପାଲିଟିରେ ହୋଲ୍ଡିଂଟିକସ ଦେଇ ଆସୁଛନ୍ତି । ତେବେ ଏତେସଂଖ୍ୟକ ଭୋଟରଙ୍କୁ ଜାଣି ଶୁଣି କଟାଯାଇଛି ନାଁ ଭୁଲବଶତଃ ସେମାନଙ୍କ ନାଁ ଭୋଟର ତାଲିକାରେ ନାହିଁ ତଦନ୍ତ ସାପେକ୍ଷ । ବାଦ୍‌ପଡିଥିବା ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବାକୁ ଦାବି ହେଉଛି ।

Share