ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ

ବାରଙ୍ଗ,୧୦ା୧୨(ଡି.ଏନ୍‌.ଏ.): ନୂଆ ରୂପ ନେବ ନନ୍ଦନକାନନ ବସ୍‌ଷ୍ଟାଣ୍ଡ। ଏହାର ଉନ୍ନତୀକରଣ କରାଯିବ। ବସ୍‌ଷ୍ଟାଣ୍ଡରେ ରହିବ ମାର୍କେଟ କମ୍ପ୍ଲେକ୍ସ। ମାର୍କେଟ କମ୍ପ୍ଲେକ୍ସରେ ନନ୍ଦନକାନନ ବସ୍‌ଷ୍ଟାଣ୍ଡ ବଣିକ ସଂଘର ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଏନେଇ ନନ୍ଦନକାନନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ୱର ଆର୍‌ଆଣ୍ଡବି ବିଭାଗ ଦ୍ୱାରା ଏହାର କାର୍ଯ୍ୟ କରାଯିବା ସହ ୧ବର୍ଷ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆହ୍ବାନକ୍ରମେ କନ୍‌ଫରେନ୍ସ ହଲ୍‌ରେ ବଣିକ ସଂଘର କର୍ମକର୍ତ୍ତାଙ୍କୁ ନେଇ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବଣିକ ସଂଘ ସଭାପତି ସନ୍ତୋଷ ରାଉତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୈଠକରେ ଯୋଗ ଦେଇଥିଲେ। ବସ୍‌ଷ୍ଟାଣ୍ଡକୁ ନେଇ ନନ୍ଦନକାନନ ପକ୍ଷରୁ କରାଯାଇଥିବା ମାଷ୍ଟର ପ୍ଲାନ ସହ ବ୍ୟବସାୟୀଙ୍କ ଥଇଥାନ ଉପରେ ଆଲୋଚନା ହୋଇଥିଲା। ବିଶେଷକରି ପର୍ଯ୍ୟଟକମାନେ ଯେପରି ଉନ୍ନତମାନର ସେବା ପାଇପାରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପର୍ଯ୍ୟଟକଙ୍କ ସହ ଗାଡ଼ି ଚାଳକଙ୍କ ପରିସ୍ରାଗାର, ପାନୀୟଜଳର ବ୍ୟବସ୍ଥା କରାଯିବ। ବସ୍‌ଷ୍ଟାଣ୍ଡରୁ ନନ୍ଦନକାନନ ଟିକେଟ କାଉଣ୍ଟର ପର୍ଯ୍ୟନ୍ତ ଯିବା ପାଇଁ ଏକ ଅଣ୍ଡରପାସର ବ୍ୟବସ୍ଥା ହେବ। ଏହି ଅଣ୍ଡରପାସ୍‌ରେ ୪ଟି ଦୋକାନ ରହିବ, ଯେଉଁଥିରେ ବ୍ୟବସାୟୀମାନେ ଶୁଖିଲା ଖାଦ୍ୟ ବିକ୍ରି କରିବେ। ମାର୍କେଟ କମ୍ପ୍ଲେକ୍ସରେ ହେବାକୁ ଥିବା ବିଭିନ୍ନ ଦୋକାନରେ ପର୍ଯ୍ୟଟକମାନେ ଖାଦ୍ୟ ଖାଇବାର ବ୍ୟବସ୍ଥା କରାଯିବ। ଗାର୍ଡେନର ମଧ୍ୟ ବ୍ୟବସ୍ଥା ରହିବ। ପୁରୀ, ବଙ୍ଗୀୟ, ଲୋକାଲ ଆଦି ୩ଟି ରୋ କରାଯାଇ ବସ୍‌ଗୁଡିକ ରଖାଯିବା ନେଇ ବ୍ୟବସ୍ଥା କରାଯାଇଛି। ବସ୍‌ଷ୍ଟାଣ୍ଡର ଚତୁଃପାର୍ଶ୍ୱକୁ ଆବଦ୍ଧ ସହ ଗୋଟେ ପଟେ ପ୍ରବେଶ ଓ ଅନ୍ୟପଟେ ପ୍ରସ୍ଥାନର ବ୍ୟବସ୍ଥା ରହିବ। ବୈଠକରେ ଭୁବନେଶ୍ୱର ଆଞ୍ଚଳିକ ବନ ସଂରକ୍ଷକ ତଥା ପୂର୍ବତନ ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର ମାଷ୍ଟରପ୍ଲାନ ଉପରେ ବଣିକ ସଂଘର ପ୍ରତିନିଧିଙ୍କୁ ବୁଝାଇବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଉଦ୍ୟମକୁ ବଣିକ ସଂଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ମନୋଜ ଭି ନାୟାର, ଉପ-ନିର୍ଦ୍ଦେଶକ ସଞ୍ଜିତ୍‌ କୁମାର, ସହକାରୀ ନିର୍ଦ୍ଦେଶକ ଶରତ ବେହେରା, ଜିଲା ପରିଷଦ ସଦସ୍ୟ, ଆର୍‌ଆଣ୍ଡବି ସହକାରୀ ଯନ୍ତ୍ରୀଙ୍କ ସମେତ ନନ୍ଦନକାନନ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share