ବଗିଚାରେ ଟଳିପଡ଼ିଲେ ନନ୍ଦନକାନନ କର୍ମଚାରୀ

ବାରଙ୍ଗ,୭।୧୦:(ଡି.ଏନ୍‌.ଏ.): ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ କାମ କରୁଥିବାବେଳେ ଜଣେ କର୍ମଚାରୀଙ୍କର ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ନନ୍ଦନକାନନ ଥାନା ରଘୁନାଥପୁରର ଜର୍ମାନୀ ନାୟକ(୫୪)। ସେ ନନ୍ଦନକାନନର ରାତ୍ରି ଜଗୁଆଳି ହୋଇ ଷ୍ଟୋର ବିଭାଗ ଅଧୀନରେ ମାଳି କାମ କରୁଥିଲେ। ତେବେ ନନ୍ଦନକାନନରେ ଚାଲିଥିବା ଏକ ବୈଠକରେ ଉପସ୍ଥିତ ଉପନିର୍ଦ୍ଦେଶକ ଡ. ସଞ୍ଜିତ କୁମାର ଘଟଣାସ୍ଥଳକୁ ଯିବା ବଦଳରେ ଘରକୁ ଚାଲିଯାଇଥିଲେ। ଏହା ଗ୍ରାମବାସୀ ଜାଣିବା ପରେ ଉତ୍ତ୍ୟକ୍ତ ହୋଇ ଉପନିର୍ଦ୍ଦେଶକ ଏଠାକୁ ନ ଆସିବା ଯାଏ ମୃତଦେହ ଉଠାଯିବ ନାହିଁ ବୋଲି ଗ୍ରାମବାସୀ କହିଥିଲେ। ଏପରିକି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ମଧ୍ୟ ଦାବି କରିଥିଲେ। ଶେଷରେ ୨ଘଣ୍ଟା ବିଳମ୍ବ ଅର୍ଥାତ୍‌ ପାଖାପାଖି ୪ଟାରେ ନନ୍ଦନକାନନ ଉପନିର୍ଦ୍ଦେଶକ ଆସିବା ସହ ମୃତ ପରିବାରଙ୍କୁ ମୃତଦେହ ସତ୍କାର ପାଇଁ ୫ହଜାର ଟଙ୍କା ଓ ପରିବାରର ଜଣକୁ ଚାକିରି ଦିଆଯିବାର ପ୍ରତିଶ୍ରୁତି ଦେବାରୁ ମୃତଦେହ ଉଠିଥିଲା। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ଖବର ଅନୁଯାୟୀ, ନନ୍ଦନକାନନ ଷ୍ଟୋର ରେଞ୍ଜର କାର୍ଯ୍ୟାଳୟ ସମ୍ମୁଖ ବଗିଚାରେ ଦ୍ୱିପ୍ରହରରେ ଜର୍ମାନୀ ଯୋଗଦେଇ କାମ କରୁଥିଲେ। ଏହି ସମୟରେ ଗୁଳୁଗୁଳି ସାଙ୍ଗକୁ ଅତ୍ୟଧିକ ହାଲିଆ ଲାଗିବାରୁ ବଗିଚାରେ ଥିବା ଏକ ସିମେଣ୍ଟ ବେଞ୍ଚରେ ବିଶ୍ରାମ ନେଉଥିବାବେଳେ ଟଳି ପଡିଥିଲେ। ପରେ ସ୍ଥାନୀୟ ଦୋକାନର ଜଣେ କର୍ମଚାରୀ ବଗିଚାକୁ ପାଣିନେବାକୁ ଆସିଥିବାବେଳେ ଜର୍ମାନୀଙ୍କ ମୃତ୍ୟୁ ହୋଇଥିବା ଦେଖି ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ। ନନ୍ଦନକାନନ କାର୍ଯ୍ୟାଳୟରେ ଚାଲିଥିବା ବୈଠକରେ ଏହି ଖବର ଜାଣିବା ପରେ ବୈଠକ ଅଧାରୁ ବନ୍ଦ ହୋଇଥିଲା। ପର୍ଯ୍ୟଟକ ଏସିଏଫ୍‌ ଅମୂଲ୍ୟ କୁମାର ପରିଡ଼ା, ଷ୍ଟୋର ଦାୟିତ୍ୱରେ ଥିବା ଡେପୁଟି ରେଞ୍ଜର କମଳ ପଟ୍ଟନାୟକ ଘଟଣାସ୍ଥଳକୁ ଆସିଥିବାବେଳେ ଅନ୍ୟ ଅଧିକାରୀମାନେ ନ ଆସି ପଳାଇ ଯାଇଥିଲେ। ଅନ୍ୟପଟେ ମୃତକଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହ ଜିଲା ପରିଷଦ ସଭ୍ୟ କୁନାଲ ରାଉତ ଓ ନାରୀ ଜାଗରଣ ମଞ୍ଚର ସଭାନେତ୍ରୀ ତଥା ରଘୁନାଥପୁର ସମିତିସଭ୍ୟା ଝୁନା ରାଉତ ପହଞ୍ଚତ୍ ଏହା ଜାଣି ହୋହଲ୍ଲା କରିଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ନେବାକୁ ଉଦ୍ୟମ କରିବା ବେଳେ ଗ୍ରାମବାସୀ ଅଟକାଇ ରଖିଥିଲେ।

Share