Categories: ଅନୁଗୋଳ

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ

ବଅଁରପାଳ,୧୭।୧(ଡି.ଏନ.ଏ.)  କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ବଅଁରପାଳଠାରୁ ଅନୁଗୋଳ ସହର ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବଡ଼ବଡ଼ ଖାଲଖମା ସହ ଅନେକ ସ୍ଥାନରେ ଗର୍ତ୍ତମାନ ସୃଷ୍ଟି ହୋଇଛି। ଫଳରେ ଦୈନିକ ଦୁର୍ଘଟଣାମାନ ଘଟି ଧନଜୀବନ ହାନି ହେଉଛି। ବିଶେଷକରି ବାଇକ୍‌ ଚାଳକମାନଙ୍କ ପାଇଁ ଏହି ରାସ୍ତା ଏକପ୍ରକାର ମରଣଯନ୍ତା ପାଲଟିଥିବା କୁହାଯାଉଛି। ଖାଲଗୁଡ଼ିକରେ ବର୍ଷା ପାଣି ଜମି ରହିଥିବାରୁ ବାଇକ୍‌ ଚାଳକମାନେ ଜାଣି ନ ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। କୁଲାଡ଼ ଛକଠାରୁ ଏଫ୍‌ସିଆଇ ଛକ ମାତ୍ର ୨ କିଲୋମିଟର ମଧ୍ୟରେ ଗତ ୩ ମାସ ମଧ୍ୟରେ ଦୁର୍ଘଟଣାରେ ୩ ଜଣଙ୍କ ପ୍ରାଣହାନି ହେଲାଣି। ପ୍ରଥମେ ନାଲ୍‌କୋ କର୍ମଚାରୀ ଦୁଷ୍ମନ୍ତ ଦେହୁରୀଙ୍କ ଜୀବନ ଏହି ରାଜପଥରେ ଯାଇଥିଲା। ଏହାପରେ ଗତମାସରେ ଡିପିଏସ୍‌ କର୍ମଚାରୀ ବିହାରୀ ଗୋଛାୟତଙ୍କୁ ଏକ ଟ୍ରକ୍‌ ଚାପି ଦେଇଥିଲା। ଗତ ଶନିବାର ରାତି ୧୦ଟାରେ କୁଲାଡ଼ ଛକଠାରେ ଚନ୍ଦନ ଚୌହାନ ନାମକ ଯୁବକଙ୍କ ଜୀବନ ଯାଇଛି। ସେ ବାଇକ୍‌ରେ ବଅଁରପାଳଠାରୁ ନାଲ୍‌କୋ ଆଡ଼କୁ ଯାଉଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା। ଘଟଣାସ୍ଥଳରେ ଚନ୍ଦନଙ୍କ ମୃତ୍ୟୁ ହୋଇଥିଲା। ଏମାନଙ୍କ ବ୍ୟତୀତ ଏହି ୩ ମାସ ମଧ୍ୟରେ ୪୦ରୁ ଅଧିକ ବାଇକ୍‌ ଆରୋହୀ ଦୁର୍ଘଟଣାରେ ଆହତ ହେଲେଣି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।