Advertisement

ମରୁଡି ପରିବେଶକୁ ସହ୍ୟ କରିପାରିବ କୋରାପୁଟର ଦେଶୀ ମାଣ୍ଡିଆ

କୋରାପୁଟ,୨୫ା୮( ଅମିତାଭ ବେହେରା ): କୋରାପୁଟ ଅଞ୍ଚଳର ଆଦିବାସୀମାନେ ପାରମ୍ପରିକ ଭାବେ ଚାଷ କରୁଥିବା ମାଣ୍ଡିଆ ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରଖିଛି ବୋଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡ ଦେବବ୍ରତ ପଣ୍ଡା କହିଛନ୍ତି। ଦୀର୍ଘ ୧୦ ବର୍ଷ ହେଲା କୋରାପୁଟର ବିଭିନ୍ନ ଦେଶୀ ମାଣ୍ଡିଆର ଜଳବାୟୁ ବିପର୍ଯ୍ୟୟ ସହନଶୀଳତା ଉପରେ ସେ ଗବେଷଣା କରି ଏହି ତଥ୍ୟ ଦର୍ଶାଇଛନ୍ତି । ଉକ୍ତ ଗବେଷଣାରୁ ଜଣାପଡିଛି ଯେ ୬ ପ୍ରକାରର ମାଣ୍ଡିଆ ଯଥା ଲଡୁ, ଲାଲା,ବାଟି, ବିରି, ଟୁମୁକା ଓ ଭାଲୁ ମାଣ୍ଡିଆର ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରହିଛି। ଏହି ମାଣ୍ଡିଆ ଚାଷ କମ ପାଣିରେ ମଧ୍ୟ କରାଯାଇପାରିବ । ଏହି ମାଣ୍ଡିଆର ଗୁଣସୂତ୍ରରେ ବିଭିନ୍ନ ପ୍ରକାର ସହନଶୀଳତା ଜିନ୍‌ ରହିଥିବା ପରୀକ୍ଷାରୁ ଜଣାପଡିଛି। ସଂପ୍ରତି ଯେପରି ଭାବେ ଜଳବାୟୁ ପରିବର୍ତ୍ତନ ଘଟୁଛି, ଏହି ପରିପ୍ରେକ୍ଷୀରେ ସହନଶୀଳ ମାଣ୍ଡିଆ ମରୁଡି ପ୍ରତିକୂଳ ପରିବେଶରେ ଚାଷ ହୋଇପାରିବ। ଏହା ଆଦିବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବ ବୋଲି ଡ ପଣ୍ଡା ମତ ରଖିଛନ୍ତି। ଏହି ୬ ପ୍ରକାରର ମାଣ୍ଡିଆକୁ ସରକାରଙ୍କର ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ଓ ସଂରକ୍ଷଣ କରାଗଲେ ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେଇ ଆଦିବାସୀମାନଙ୍କ ଆର୍ଥିକ ଉନ୍ନତି ଘଟାଇପାରିବ ବୋଲି ସେ କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share