କେନ୍ଦୁଝର, ୩୧।୧(ଡି.ଏନ୍.ଏ.) ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ଆଦିମ ଜନଜାତି ଜୁଆଙ୍ଗ ଓ ଭୂୟାଁ ଅବହେଳିତ ହୋଇ ରହିଛନ୍ତି। ପାହାଡ ଓ ଜଙ୍ଗଲ ଘେରା ମଧ୍ୟରେ ରହି ଆସୁଥିବା ଏହି ଜନଜାତି ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ବିକାଶ ସ୍ରୋତରେ ପୂର୍ଣ୍ଣମାତ୍ରାରେ ସାମିଲ ହୋଇପାରିନାହାନ୍ତି। ଏମାନଙ୍କ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉଛି କିନ୍ତୁ ତଦାରଖ ଅଭାବରୁ ସଫଳତା ମିଳିପାରୁ ନାହିଁ। ତେବେ କାଗଜପତ୍ରରେ ଯୋଜନା ସଫଳତା ଲାଭ କରୁଥିବା ଦର୍ଶାଯାଉଛି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ତେଲକୋଇ, ବାଂଶପାଳ, ହରିଚନ୍ଦନପୁର, ଘଟଗଁା ବ୍ଲକରେ ୧୪୮ଟି ଜୁଆଙ୍ଗ ଗ୍ରାମ ରହିଛି। ସରକାରୀ ସର୍ଭେ ଅନୁଯାୟୀ ୪୫୭୫ଟି ଜୁଆଙ୍ଗ ପରିବାରରେ ୨୧,୧୪୬ ଜଣ ଜୁଆଙ୍ଗ ରହୁଛନ୍ତି। ଜୁଆଙ୍ଗମାନଙ୍କ ବାର୍ଷିକ ଜନସଂଖ୍ୟା ବୃଦ୍ଧି ୨.୬ ପ୍ରତିଶତ ଥିବାବେଳେ ସାକ୍ଷରତା ହାର ପ୍ରାୟ ୧୨.୨୪ ପ୍ରତିଶତ ବୋଲି ଜଣାପଡିଛି। ବହୁ ଜୁଆଙ୍ଗ ଗ୍ରାମକୁ ନିତିଦିନିଆ ରାସ୍ତା ନାହିଁ ଏଣୁ ସ୍ବାସ୍ଥ୍ୟସେବା ସେମାନଙ୍କ ପାଇଁ ଅପହଞ୍ଚ ହୋଇପଡୁଛି। ରୋଗୀକୁ ଭାରରେ ବୋହି ଡାକ୍ତରଖାନାକୁ ଆଣିବାକୁ ପଡିଥାଏ ଫଳରେ ଅନେକ ରୋଗୀଙ୍କର ବାଟରେ ମୃତ୍ୟୁ ଘଟିଥାଏ। ଜୁଆଙ୍ଗମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ପ୍ରଥମଥର ୧୯୭୮ ମସିହାରେ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାଠାରେ ପ୍ରତିଷ୍ଠା ହୋଇଥିଲା ‘ଜୁଆଙ୍ଗ ଉନ୍ନୟନ ସମିତି’। ପ୍ରଥମେ ୭ଟି ଜୁଆଙ୍ଗ ଗ୍ରାମକୁ ଏଥିରେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ୧୯୯୬ରେ ୩୨ଟି ଗ୍ରାମକୁ ସାମିଲ କରାଯାଇଥିଲା। ଅଦ୍ୟାବଧି ଏହି ପ୍ରକଳ୍ପରେ ଆଉ କୌଣସି ଗ୍ରାମକୁ ସାମିଲ କରାଯାଇ ନ ଥିବା ଜଣାପଡିଛି। ଫଳରେ ଅବଶିଷ୍ଟ ପ୍ରାୟ ୧୧୬ଟି ଜୁଆଙ୍ଗ ଗ୍ରାମ ଏହି ଜୁଆଙ୍ଗ ଉନ୍ନୟନ ସମିତିରେ ସାମିଲ ହୋଇ ପାରିନାହିଁ। ଏନେଇ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା ଜୁଆଙ୍ଗ ଗ୍ରାମଗୁଡିକୁ ସରକାର ଅବହେଳା ପ୍ରଦର୍ଶନ କରି ଉକ୍ତ ସମିତିରେ ସାମିଲ କରୁନଥିବାରୁ ସେମାନଙ୍କ ବିକାଶରେ ବାଧା ଉପୁଜିଛି।
ଜୁଆଙ୍ଗମାନଙ୍କ ବିକାଶ ପାଇଁ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଆଇଟିଡିଏ, ବ୍ଲକ, ପଞ୍ଚାୟତ ଆଦି ସରକାରୀ ଓ ବେସରକାରୀ ସଂସ୍ଥା ମାଧ୍ୟମରେ ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ଜୁଆଙ୍ଗମାନଙ୍କୁ ମିଳୁନଥିବା ଅଭିଯୋଗ ହେଉଛି। କାମଧନ୍ଦା ନ ପାଇ ଓ ଆର୍ଥିକ ଅନଟନ ଯୋଗୁ ବହୁ ଜୁଆଙ୍ଗ ଦାଦନ ଖଟିବାକୁ ଦୂରଦୂରାନ୍ତକୁ ଯାଉଥିବାବେଳେ ଆଉ କେହି ପର ଘରେ ମୂଲ ଲାଗୁଛନ୍ତି। ପରିବାରର ଆର୍ଥିକ ଅନଟନ ଯୋଗୁ ପିଲାମାନେ ପାଠପଢା ଛାଡି ଗାଈ, ଛେଳି ଚରାଇବା, ଶିଶୁ ଶ୍ରମିକ କାମରେ ନିୟୋଜିତ ହେଉଛନ୍ତି। ଏନେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଜନ ଥମ୍ବ କହିଛନ୍ତି, ଜୁଆଙ୍ଗମାନଙ୍କ ବିକାଶ ପାଇଁ ସବୁ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି। ଜୁଆଙ୍ଗ ଅଧ୍ୟୁଷିତ ଅଞ୍ଚଳର ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଆଦି କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଉଛି।