ଛେଣ୍ଡିପଦା,୮।୪(ସ୍ବ.ପ୍ର.): ଅନୁଗୋଳ-ସମ୍ବଲପୁର ରେଳ ଲାଇନର ଜରପଡ଼ା ଗ୍ରାମ ନିକଟରେ ଗୁରୁବାର ରାତି ସାଢ଼େ ୯ଟାରେ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ପାଇଁ ରେଲଓ୍ବେର ଅବହେଳା ଦାୟୀ। ଶୁକ୍ରବାର ଘଟଣାର ତଦନ୍ତ ପରେ ଏହା ସ୍ପଷ୍ଟ କରିଛି ବନ ବିଭାଗ। ହାତୀ ଘଉଡ଼ାଯାଉଥିବାରୁ ରେଳ ଲାଇନରେ ଟ୍ରେନ୍ର ଗତି କମ୍ କରିବାକୁ ବନ ବିଭାଗ ପକ୍ଷରୁ ରେଲଓ୍ବେକୁ ଚିଠି କରାଯାଇଥିଲେ ମଧ୍ୟ ଦ୍ରୁତଗତିରେ ଟ୍ରେନ୍ ଆସିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ବିବେକ କୁମାର ପ୍ରକାଶ କରିଛନ୍ତି।
ବନଖଣ୍ଡ ଅଧିକାରୀ କହିଛନ୍ତି, ଜରପଡ଼ା ବନାଞ୍ଚଳ ଜେରେଙ୍ଗ ବୁଢ଼ାବୁଢ଼ୀ ଠାକୁରାଣୀ ପାହାଡ଼ରେ କିଛି ଦିନ ହେଲା ଉକ୍ତ ଦନ୍ତା ହାତୀ ଚଳପ୍ରଚଳ କରିବା ସହ ଆଖପାଖ ଅଞ୍ଚଳରେ କ୍ଷୟକ୍ଷତି ଘଟାଉଥିଲା। ଖବରପାଇ ବନ ବିଭାଗର କର୍ମଚାରୀମାନେ ଗୁରୁବାର ଉକ୍ତ ହାତୀକୁ ଆଡିଶୀଳା ପାହାଡ଼ ପଟକୁ ଘଉଡ଼ାଉଥିଲେ। ମଝିରେ ଥିବା ରେଳ ଧାରଣା ଅତିକ୍ରମ କରି ହାତୀ ଉକ୍ତ ପାହାଡ଼ ପଟକୁ ଯିବାକୁ ଥିବାରୁ ସନ୍ଧ୍ୟା ୬ଟା ୩୦ରୁ ସକାଳ ୬ଟା ଯାଏ ବଇଣ୍ଡାରୁ ଜରପଡା ଷ୍ଟେଶନ ମଧ୍ୟରେ ଘଣ୍ଟା ପ୍ରତି ୫୦ କିଲୋମିଟରରୁ କମ୍ ବେଗରେ ଟ୍ରେନ୍ ଚଳାଚଳ କରିବା ପାଇଁ ବନ ବିଭାଗ ପକ୍ଷରୁ ରେଲ୍େଓ ଡେପୁଟି କଣ୍ଟ୍ରୋଲରଙ୍କୁ ଚିଠି (ନଂ. ୯୩୦୨) କରାଯାଇଥିଲା। ହେଲେ ରେଲଓ୍ବେର ଅବହେଳା ଯୋଗୁ ଦ୍ରୁତଗତିରେ ଆସୁଥିବା ସମ୍ବଲପୁର-ହାଓଡା ସାଲିମାର ଏକ୍ସପ୍ରେସ୍ ରାତି ସାଢ଼େ ୯ଟା ବେଳେ ଜରପଡ଼ାଠାରେ ରେଳ ଧାରଣା ପାସ୍ କରୁଥିବା ହାତୀକୁ ଧକ୍କା ଦେଇଥିଲା। ଶୁକ୍ରବାର ସକାଳେ ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଏମ. ଯୋଗଜୟାନନ୍ଦ, ବନ୍ୟପ୍ରାଣୀ ସଂରକ୍ଷକ ରଞ୍ଜନ କୁମାର ବେହେରା, ବନଖଣ୍ଡ ଅଧିକାରୀ, ଜରପଡା ବନାଞ୍ଚଳ ଅଧିକାରୀ ମାଧବ ନାଏକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ରେଲଓ୍ବେ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ। ଦୁର୍ଘଟଣା ସମ୍ପର୍କରେ ରେଲେୱ ସହିତ ଆଲୋଚନା ଜାରି ରହିଛି। ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର କିଶୋର ଚନ୍ଦ୍ର ସାହୁ ଓ ଛେଣ୍ଡିପଦା ବ୍ଲକ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡାକ୍ତର କମଳ ଲୋଚନ ଦାସଙ୍କ ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇଥିଲା। ପରେ ରେଳ ଧାରଣା ପାର୍ଶ୍ୱରେ ମୃତ ହାତୀକୁ ପୋତି ଦିଆଯାଇଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି। ଏ ନେଇ ରେଲଓ୍ବେ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲେ ହେଁ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ କୌଣସି ମତାମତ ଦେଇ ନ ଥିଲେ।