ଧାରୁଆ କାତିରେ କାଟି ଦାଦାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲେ ପୁତୁରା

ଏମ୍‌ଭି-୭୯,୧୧ା୫(ଭିକି ବାରିକ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୯ ଥାନା ଅନ୍ତର୍ଗତ ତେଲରାଇ ପଞ୍ଚାୟତ ଇପିଗୁଡା ଗ୍ରାମରେ ଶନିବାର ଆଦିବାସୀଙ୍କ ଆମ୍ବପରବ ପୂଜା ଚାଲିଥିବା ସମୟରେ ହଠାତ୍‌ ଦାଦା-ପୁତୁରାଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବଚସା ହୋଇଥିଲା।
ଏଥିରେ ଉତ୍‌କ୍ଷିପ୍ତ ହୋଇ ପୁତୁରା ଏକ ଧାରୁଆ କାତିରେ ଦାଦାଙ୍କ ମୁଣ୍ଡ କାଟି ହତ୍ୟା କରିଥିଲେ। ମୃତକ ହେଲେ ମୁକା ପଡ଼ିଆମି(୪୨)। ଏ ନେଇ ଏମ୍‌ଭି-୭୯ ଥାନାରେ କେସ୍‌ ନଂ. ୮୩/୨୪ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ପୁତୁରା ରାମା ପଡ଼ିଆମିଙ୍କୁ ଗିରଫ କରାଯାଇଛି।

ପ୍ରକାଶ ଯେ, ଆଦିବାସୀ ସମ୍ପ୍ରଦାୟର ଆମ୍ବପରବ ଅବସରରେ ପୂଜା ଚାଲିଥିଲା। ଏହି ସମୟରେ ଗ୍ରାମର ମୁକା ଓ ତାଙ୍କ ପୁତୁରା ରାମାଙ୍କ ମଧ୍ୟରେ ପାରିବାରିକ କଳହରୁ ବଚସା ହୋଇଥିଲା। ବହୁ ସମୟ ଧରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଟଣାଓଟରା ଲାଗିଥିଲା। ଏହି ସମୟରେ ରାମା ଉତ୍‌କ୍ଷିପ୍ତ ହୋଇ ଦାଦା ମୁକାଙ୍କ ଗଳାକୁ ଏକ ଧାରୁଆ କାତିରେ କାଟି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲେ। ଖବର ଜଣାପଡ଼ିବା ପରେ ଏମ୍‌ଭି-୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରାମାଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସୁବାସ ଚନ୍ଦ୍ର କାରକରା କହିଛନ୍ତି।

Share