ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ୨୦୨୦ ଡିସେମ୍ବର ପର୍ଯ୍ୟାୟ ୟୁଜିସି ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି ଟେଷ୍ଟ (ଏନ୍ଇଟି) ପରୀକ୍ଷାକୁ ସ୍ଥଗିତ ରଖିଛି। ଆସନ୍ତା ମେ’ ମାସରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ମଙ୍ଗଳବାର ଏନ୍ଟିଏ ପକ୍ଷରୁ ଘୋଷଣା କରାଯାଇଛି। ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଏନ୍ଟିଏ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଏନ୍ଟିଏ ଦ୍ୱାରା ପରିଚାଳିତ ଏନ୍ଇଟି ପରୀକ୍ଷା ଗତ ଡିସେମ୍ବର ମାସରେ ହେବାର ଥିଲା। କିନ୍ତୁ କରୋନା କଟକଣା ଯୋଗୁ ଏହାକୁ ମେ’ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। ଦେଶର ବିଭିନ୍ନ କେନ୍ଦ୍ରରେ ଏହି କମ୍ପ୍ୟୁଟରଭିତ୍ତିକ ପରୀକ୍ଷା’ ମେ’ ୨ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଯୋଗୁ ଏନ୍ଟିଏ ପକ୍ଷରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ପରବର୍ତ୍ତୀ ସମୟରେ ନୂଆ ପରୀକ୍ଷା ତାରିଖ ଅତିକମ୍ରେ ୧୫ ଦିନ ପୂର୍ବରୁ ଜଣାଇ ଦିଆଯିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ତେବେ ସଦ୍ୟ ତଥ୍ୟ ପାଇଁ ଛାତ୍ରୀଛାତ୍ରମାନେ www.nta.ac.in କିମ୍ବା ugcgnet.nta.nic.in ଓ୍ବେବ୍ସାଇଟ୍କୁ ଦେଖିବା ପାଇଁ ଏନ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।