କରୋନା ମହାମାରୀ ପରେ ଏବେ ପୁଣି ଥରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଚଳଚଞ୍ଚଳ ହୋଇଉଠିଛି। କେବଳ ନବାଗତ ନୁହନ୍ତି କିଛି ନିୟମିତ ପ୍ରଯୋଜକ ଓଡ଼ିଆ ଫିଲ୍ମ ପ୍ରସ୍ତୁତିରେ ଲାଗି ପଡିଛନ୍ତି। ଏହି ଧାରାରେ ନିଜକୁ ପୁଣି ଥରେ ସାମିଲ କରିଛନ୍ତି ଓଲିଉଡ୍ର ବରିଷ୍ଠ ପ୍ରଯୋଜକ ବିଜୟ କାଣ୍ଡୋଇ। ଏହାର ଟାଇଟଲ ରହିଛି ‘ହେ ରାମ : କର୍ମ ହିଁ ଧର୍ମ’। ଏହାର ମହୁରତ ସହ ଫାଷ୍ଟ ଲୁକ୍ ନିକଟରେ ରିଲିଜ ହୋଇଛି। ବିଦିସା କ୍ରାଫ୍ଟ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଫିଲ୍ମଟିକୁ ନେଇ ଏବେଠାରୁ ଦିନ ଗଣିବା ଆରମ୍ଭ କରିଦେଲେଣି ସମ୍ବିତ। କାରଣ ଏଥିରେ ତାଙ୍କୁ ଦର୍ଶକ ଏକ ଭିନ୍ନ ଧରଣର ଭୂମିକାରେ ଦେଖିବାକୁ ପାଇବେ। ଏହାର କାହାଣୀ ରଚନା ସହ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ବାସୁଦେବ ବାରାଦ। ସଂଳାପ ରଚନା ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ କରିଥିବା ବେଳେ ଡା. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର। ଏ ସମ୍ପର୍କରେ ସମ୍ବିତ କହନ୍ତି, ‘ଏହି ଫିଲ୍ମଟି ମୋତେ ବେଶ୍ ମାଇଲେଜ ଦେବ ବୋଲି ଆଶା ରଖିଛି। ମୋ ଅଭିନୀତ ସିନେମାଗୁଡିକୁ ଦର୍ଶକ ଗ୍ରହଣ କରିଛନ୍ତି ତାହା ମୋ ପାଇଁ ବଡ କଥା। ଧର୍ମାନ୍ତୀକରଣକୁ ନେଇ ଏହାର କାହାଣୀ ଗତିଶୀଳ। ବିଶେଷଭାବରେ ଏଥିରେ ମୋ ଭୂମିକା ସମ୍ପୂର୍ଣ୍ଣ ଭିନ୍ନ।’ ଏଥିରେ ସମ୍ବିତଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଅର୍ଲିନ ଅଙ୍କିତା ଏବଂ ଅନ୍ୟ ଭୂମିକାରେ ପପି ସନ୍ତୁକା, ଗୁଡ଼ୁ, ଜଗନାଥ ସେଠ ଓ ଗୋପାଳ ପ୍ରକାଶ ମହାନ୍ତି ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମଟି ଚଳିତ ବର୍ଷ ଗଣେଶ ପୂଜାରେ ରିଲିଜ ହେବାର ଯୋଜନା ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।