ମୁଣ୍ଡିଆ ମାରି ବିଧାନସଭାରେ ପ୍ରବେଶ କଲେ ନୂଆ ବିଧାୟକ

ଭୁବନେଶ୍ୱର,୧୮।୬: ଓଡିଶାରେ ଭାଜପା ସରକାର ଗଠନ ହେବା ପରେ ମଙ୍ଗଳବାରଠାରୁ ବିଧାନସଭାରେ ୩ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ଅନେକ ବିଧାୟକ ମଙ୍ଗଳବାର ବିଧାନସଭାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ନୂଆ ବିଧାୟକମାନେ ବିଧାନସଭା ଦ୍ୱାରରେ ମୁଣ୍ଡିଆ ମାରି ପ୍ରବେଶ କରୁଥିବା ଦେଖାଯାଇଛି।
୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ମଙ୍ଗଳବାର ଏବଂ ବୁଧବାର ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଇବେ। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶପଥ ଗ୍ରହଣ କରିବା ପରେ ଯାଇ ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିମାନେ ଶପଥ ନେଇପାରିବେ। ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ୧୦ଟାରୁ ୫ଟା ଭିତରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ। ତେଣୁ ଏଥିଲାଗି ବିଧାନସଭା ଭିତରେ ଏବଂ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମସ୍ତ ନିର୍ବାଚିତ ବିଧାୟକ ପ୍ରାର୍ଥୀମାନେ ଏହି ଶପଥ ପାଠ କରିସାରିଲେ ହିଁ ବିଧାନସଭାର ସମସ୍ତ କାର୍ଯ୍ୟରେ ସାମିଲ ହୋଇପାରିବେ। ଯେପରି ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାଚସ୍ପତି ନିର୍ବାଚନ, ସେଥିରେ ମଧ୍ୟ ଶପଥ ନେଇସାରିବା ପରେ ବିଧାୟକମାନେ ଭାଗ ନେଇପାରିବେ। ଯେଉଁମାନେ ଏହି ଦୁଇ ଦିନରେ କୌଣସି କାରଣବଶତଃ ଶପଥ ନ ନେଲେ ସେମାନେ ବାଚସ୍ପତି ନିର୍ବାଚନରେ ଭୋଟ୍‌ ଦେଇପାରିବେ ନାହିଁ। ନୂଆ ବାଚସ୍ପତି ଆସିବା ପରେ ତାଙ୍କ ଚାମ୍ବରରେ ଯାଇ ଶପଥ ନେବେ।
ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ ଦାଖଲ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀ ପ୍ରାୟତଃ ବାଚସ୍ପତି ନିର୍ବାଚନ ଲାଗି ନିଜର ପ୍ରାର୍ଥୀ ଦେଇ ନ ପାରନ୍ତି। ଅନ୍ୟପଟେ ଭାଜପାରୁ କାହାକୁ ବାଚସ୍ପତି ପଦ ଲାଗି ପ୍ରାର୍ଥୀ କରାଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନୂଆ ବାଚସ୍ପତି ନିର୍ବାଚନ ପରିଚାଳନା ମଧ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ କରାଇବେ।

Share