ବଢ଼ିଲା ସଭ୍ୟ ସଂଖ୍ୟା, ମହିଳାଙ୍କୁ ଉପେକ୍ଷା

ସମ୍ବଲପୁର,୨୮ା୯(ଶୁଭାଶିଷ ପାଢ଼ୀ): ବିଧାୟକ ରୋହିତ ପୂଜାରୀ ସମ୍ବଲପୁର ଜିଲା ସଭାପତି ଭାବେ ଘୋଷଣା ହେବାର ଦିନକ ପରେ ବୁଧବାର ନୂତନ ଜିଲା କମିଟି ତାଲିକା ପ୍ରକାଶ ପାଇଛି। ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସ୍ବୀକୃତି କ୍ରମେ କମିଟି ଗଠନ କରାଯାଇଛି। ନୂତନ ତାଲିକାରେ ନୂଆ ଚେହେରା ଓ କିଛି ପୁରୁଣା କର୍ମୀଙ୍କ ନାମ ରହିଛି। ଗତ ଜିଲା କମିଟି ତୁଳନାରେ ସଭ୍ୟ ସଂଖ୍ୟା ହାରାହାରି ୨ଗୁଣରୁ ଅଧିକ ବୃଦ୍ଧି ପାଇଛି। ହେଲେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇ ନାହିଁ। ପୂର୍ବ କମିଟିରେ ୩ ଜଣ ମହିଳା ସାମିଲ ହୋଇଥିବା ବେଳେ ଏବେ ମାତ୍ର ଜଣେ ମହିଳାଙ୍କୁ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଛି। ବିଜେଡି ମହିଳାଙ୍କୁ ଅଗ୍ରାଧିକାର କଥା କହୁଥିବା ବେଳେ ଜିଲା କମିଟିରେ ଏହି ନିୟମ ପାଳନ କରାଯାଇ ନାହିଁ। ଏହାକୁ ନେଇ କେତେଜଣ କର୍ମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରକାଶ ପାଇଥିବା ତାଲିକାକୁ ଦେଖିଲେ ଜିଲା ଉପସଭାପତି ପଦରେ ଗତ ଥର ୭ ଜଣ ରହିଥିବା ବେଳେ ଏବେ ୧୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସାଧାରଣ ସମ୍ପାଦକ ୧୦ ଜଣ ରହିଥିବା ବେଳେ ଏହା ୨୬ ଜଣଙ୍କୁ ବୃଦ୍ଧି ପାଇଛି। ସମ୍ପାଦକ ପଦରେ ଗତଥର ୧୪ ଜଣ ଥିବାବେଳେ ଚଳିତବର୍ଷ ଏହାକୁ ବୃଦ୍ଧିକରି ୩୧ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ହାରାହାରି ଦେଖିଲେ ଗତଥର ମୋଟ ୩୧ ଜଣ ଜିଲା କମିଟିର ବିଭିନ୍ନ ପଦରେ ଥିବା ବେଳେ ଏହି ସଂଖ୍ୟା ୬୯ ରହିଛି। ୩୮ ଜଣ ନୂତନ ସଦସ୍ୟଙ୍କୁ ସ୍ଥାନ ଦିଆଯାଇଛି। ଏହି ତୁଳନାରେ ମହିଳା ସଦସ୍ୟ ସଂଖ୍ୟା ୧୦ ଜଣଙ୍କୁ ବୃଦ୍ଧି କରିଥିଲେ ଦଳ ପାଇଁ ଉଚିତ ହୋଇଥାନ୍ତା ବୋଲି କର୍ମୀ ମହଲରେ ମତ ପ୍ରକାଶ ପାଉଛି। ଅନ୍ୟପଟେ ଅନୁସୂଚତି ଜାତି ଓ ଜନଜାତି କର୍ମୀମାନଙ୍କୁ ମଧ୍ୟ ସଦସ୍ୟ ପଦରେ ସଂଖ୍ୟା ଅନୁପାତରେ ସାମିଲ କରାଯାଉ ନାହିଁ ବୋଲି ଆଲୋଚନା ହେଉଛି। ଯାହା ହେଉ ନା କାହିଁକି ୨୦୨୪ ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ଦଳରେ ସଭ୍ୟପଦକୁ ବୃଦ୍ଧି କରାଯାଇଛି ଓ ଏଥିରେ ଯୁବବର୍ଗଙ୍କୁ ପ୍ରାଧାନ୍ୟ ଦିଆଯାଇଥିଡ଼ବା କୁହାଯାଉଛି। ଏ ସମ୍ପର୍କରେ ବିଜେଡି ଜିଲା ସଭାପତି ରୋହିତ ପୂଜାରୀ କହିଛନ୍ତି, ମହିଳାଙ୍କୁ ଦଳରେ ଅଗ୍ରାଧିକାର ଦିଆଯାଉଛି। ମହିଳାଙ୍କ ସ୍ବତନ୍ତ୍ର ସଙ୍ଗଠନ ରହିଛି। ସେମାନେ ବିଭିନ୍ନ ପଦପଦବୀରେ ରହି ସକ୍ରିୟ ଭାବେ କାମ କରୁଛନ୍ତି। ତେଣୁ ନୂତନ ଟିମ୍‌ରେ ଯୁବବର୍ଗ ଅଧିକ ଅଛନ୍ତି ବୋଲି ସେ କହିଥିଲେ।