‘ଆୟକର ପ୍ରଶାସନକୁ ପାରଦର୍ଶୀ କରିବ ନୂଆ ବ୍ୟବସ୍ଥା’

ଭୁବନେଶ୍ୱର,୩ା୯:ଲୋକ ଚରିତ୍ର ମହାନ୍‌ ହେଲେ ପ୍ରଶାସନିକ କଟକଣା ଓ ଆଇନର ଛାଟ ଅନାବଶ୍ୟକ। ଟିକସ ପଇଠ କରିବାକୁ ସକ୍ଷମ ବ୍ୟକ୍ତିବିଶେଷ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବାର ଆବଶ୍ୟକତା ରହିଛି। ନୂଆ ବ୍ୟବସ୍ଥା ଆୟକର ପ୍ରଶାସନକୁ ସ୍ବଚ୍ଛ ଏବଂ ପାରଦର୍ଶୀ କରିବା ସହ କରଦାତାଙ୍କ ସଂଖ୍ୟା ବୃଦ୍ଧି ଦିଗରେ ସହାୟକ ହେବ। ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଭୁବନେଶ୍ୱର ପକ୍ଷରୁ ‘ଟିକସରେ ସ୍ବଚ୍ଛତା ଓ ସଚ୍ଚୋଟଙ୍କୁ ସମ୍ମାନ’ ଶୀର୍ଷକ ଓ୍ବେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏହା କହିଛନ୍ତି।
ଷଡ଼ଙ୍ଗୀ କହିଛନ୍ତି ଯେ, ବିଜ୍ଞାନସମ୍ମତ ଡିଜିଟାଲ ବ୍ୟବସ୍ଥା କୌଣସି ବ୍ୟକ୍ତିଙ୍କୁ ସଚ୍ଚୋଟ କରିପାରିବ ନାହିଁ। ସ୍ବେଚ୍ଛାକୃତ ଭାବେ ଟିକସ ପଇଠ କରି ଜଣେ ନିଜକୁ ଦାୟିତ୍ୱବାନ୍‌ ନାଗରିକ ଭାବେ ଗଢି ତୋଳିବା ସହ ଦେଶର ଅଭିବୃଦ୍ଧିରେ ନିଜର ଯୋଗଦାନ ରଖିପାରିବ। କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଧାନ ମୁଖ୍ୟ ଆୟକର ଆୟୁକ୍ତ ପ୍ରଣବ କୁମାର ଦାସ କହିଛନ୍ତି, କଳାଧନକୁ ରୋକିବାରେ ଆୟକର ବିଭାଗ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଉଛି। ଡିଜିଟାଲ କର ନିର୍ଦ୍ଧାରଣ ସିଷ୍ଟମ ଯୋଗୁ ସମସ୍ତ ବ୍ୟବସ୍ଥା ସ୍ବୟଂକ୍ରିୟ ହୋଇ ପାରିବ। ଏଭଳି ପଦକ୍ଷେପ ଟିକସ ପ୍ରଶାସନ ଏବଂ ଟିକସଦାତାଙ୍କ ମଧ୍ୟରେ ସହଯୋଗକୁ ଅଧିକ ଦୃଢ କରିବାରେ ସହାୟକ ହେବ।
ଏଭଳି ପରିସ୍ଥିତିରେ ନୂତନ ଟିକସ ବ୍ୟବସ୍ଥା କରଦାତାଙ୍କୁ ବିଶେଷ ସହାୟକ ହେବ ବୋଲି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟ କହିଛନ୍ତି। ଆୟ ନ ଲୁଚାଇ ସଚ୍ଚୋଟ ନାଗରିକ ଭାବେ କର୍ତ୍ତବ୍ୟ ପାଳନ ପୂର୍ବକ ଆବଶ୍ୟକ ଟିକସ ପଇଠ କରିବାକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅରୁଣ କୁମାର ସାବତ ଏଥିରେ ମତ ରଖିଛନ୍ତି। ନୂଆ ଟିକସ ବ୍ୟବସ୍ଥା ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ କ୍ଷେତ୍ରରେ ଯୋଗଦାନ ରଖିବ ବୋଲି ଉତ୍କଳ ଶିଳ୍ପ ବାଣିଜ୍ୟ ମହାସଂଘର ଉପାଧ୍ୟକ୍ଷ ଅଶୋକ କୁମାର ଶାରଦା ମତ ରଖିଥିଲେ। ଭୁବନେଶ୍ୱର ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ୍ବେବିନାର ପରିଚାଳନା କରିଥିଲେ।

Share