Advertisement

ଶିବମନ୍ଦିର ଭିତରେ ନବଜାତ ଶିଶୁକନ୍ୟା ଛାଡ଼ି ପଳାଇଲେ

ସରଣ୍ଡା,୨୦ା୧୨(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର ଜିଲା ରେଙ୍ଗାଲି ଅଞ୍ଚଳରୁ ବୋରଓ୍ବେଲ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ବୁଧବାର ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗା ଶିବ ମନ୍ଦିରରୁ ଜଣେ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ନବଜାତ ଶିଶୁକନ୍ୟାକୁ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ସୂଚନା ମଳିଛି ।
ପ୍ରକାଶ ଯେ, ବୁଧବାର ସକାଳେ ସବୁଦିନ ଭଳ ପୂଜକ ଅକ୍ଷୟ ମହାପାତ୍ର ପୂଜାର୍ଚ୍ଚନା ପାଇଁ ମନ୍ଦିରକୁ ଆସିଥିଲେ । ତେବେ ମନ୍ଦିରକୁ ଆସିବା ପରେ ମନ୍ଦିର ପରିସରରେ ରହିଥିବା ବୃଷଭ ମୂର୍ତ୍ତିତଳେ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ସେଠାରେ ପହଞ୍ଚିବା ପରେ କେହି ଶିଶୁକନ୍ୟାକୁ ଲୁଙ୍ଗି ଏବଂ ଶୀତବସ୍ତ୍ରରେ ଘୋଡ଼ାଇ ରଖି ସେଠାରୁ ଚାଲି ଯାଇଥିବା ଜାଣିବାକୁ ପାଇଥିଲେ।

ଏହାପରେ ପୂଜକ ମହାପାତ୍ର ମନ୍ଦିର କମିଟି ଏବଂ ଗୋଡ଼ଭଗା ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଗୋଡ଼ଭଗା ଫାଣ୍ଡି ଅଧିକାରୀ ଅନିମା ଏକ୍କା ଏବଂ ମନ୍ଦିର କମିଟି କର୍ମକର୍ତ୍ତା ସେଠାକୁ ପହଞ୍ଚିଥିଲେ। ଶିଶୁକନ୍ୟାକୁ ସେଠାରୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ତେବେ କିଏ କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ ସେଠାରେ ସେମିତି ପରିସ୍ଥିତିରେ ଛାଡ଼ିଗଲେ ଏବଂ ଶିଶୁକନ୍ୟାର ମା’, ବାପା କିଏ ତାହା ଖବର ଲେଖାହେବା ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share