କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ,୨୧ା୮(ଡି.ଏନ.ଏ.): ହରିଦାସପୁର-ପାରାଦୀପ ରେଳପଥର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଯଦୁପୁର ନିକଟ ଖସାଡିଠାରେ ବୁଧବାର ସନ୍ଧ୍ୟାରେ ୩୦ଫୁଟ ଚଉଡାର ରେଳପଥ ଭୁଶୁଡି ପଡିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ନବନିର୍ମିତ ଏହି ରେଳପଥ ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଗୁରୁବାର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମର ହରିଶ ମହାନ୍ତି କହନ୍ତି, ପୂର୍ବରୁ ଏହି ଅଞ୍ଚଳରେ ମାଟି ଧସି ପାଖରେ ଥିବା ୬ଟି ଘର ଭାଙ୍ଗିଯାଇଛି। ପୁନର୍ବାର ଗତ ସନ୍ଧ୍ୟାରେ ରେଳପଥରୁ ମାଟି ଓ ଗୋଡି ଖସିବା ଫଳରେ ରେଳପଥ ନିର୍ମାଣରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହୋଇଛି। ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।