୨ ହଜାର ଚାରା ବାଣ୍ଟିଲେ ନବଦମ୍ପତି

ସିମୁଳିଆ, ୨୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଚାଲୁଣୀଗାଁ ଅଞ୍ଚଳରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଉଭୟ ବରକନ୍ୟା। ଭୋଜିରେ ଯୋଗଦେଇଥିବା ଅତିଥିଙ୍କୁ ନବଦମ୍ପତି ଆମ୍ବ, ପଣସ, ଲିଚୁ, ସପେଟା ଆଦି ୨ହଜାର ଫଳ ଚାରା ବଣ୍ଟନ କରିଥିଲେ। ସେହିପରି କନ୍ୟା ଶୁଭଲକ୍ଷ୍ମୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ଉପରେ ରଚିତ ପୁସ୍ତକ ‘ସ୍ମୃତି ପୁଲକ’ ଲୋକାର୍ପିତ ହୋଇଥିଲା। ଏହି ଅବସରରେ ଉତ୍ସବରେ ମିଳିଥିବା ସମସ୍ତ ଉପହାରକୁ ସେ ବୃଦ୍ଧାଶ୍ରମକୁ ଦାନ କରିବେ ବୋଲି ଶୁଭଲକ୍ଷ୍ମୀ ଘୋଷଣା କରିଥିଲେ। ସ୍ଥାନୀୟ ଅଞ୍ଚଳର ‘ବାପୁଜୀ ଯୁବ ପରିଷଦ’ର ୪୦ଜଣ କର୍ମକର୍ତ୍ତା ସହଯୋଗୀ ଥିଲେ ା ଯୁବ ପରିଷଦର ସଦସ୍ୟ ତଥା ଶିକ୍ଷକ ନରୋତ୍ତମ ଦାଶ କହନ୍ତି ଏହି ବିବାହ ଆମ ଅଞ୍ଚଳ ଓ ସମାଜ ପାଇଁ ଆଦର୍ଶ ା
ସରୋଜ ହାଇଦ୍ରାବାଦରେ ବ୍ୟବସାୟ କରନ୍ତି। ଶୁଭଲକ୍ଷ୍ମୀ ଜଣେ ଉଚ୍ଚ ଶିକ୍ଷିତା। ଗତ ୨୦୧୯ରେ ସେ ଅନ୍ତପୁର କଲେଜରେ ଓଡ଼ିଆ ସମ୍ମାନରେ ଟପ୍ପର ହୋଇ ସମ୍ମାନିତ ମଧ୍ୟ ହୋଇଥିଲେ। ଏହାବ୍ୟତୀତ ସେ ଲେଖାଲେଖି ମଧ୍ୟ କରନ୍ତି। ଏବେ ସେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅଧୀନରେ ପିଜି କରୁଛନ୍ତି। ତେବେ ପତ୍ନୀଙ୍କୁ ସମ୍ମାନ ଜଣାଇ ସରୋଜ ଗଛ ଚାରା ବଣ୍ଟନ ପାଇଁ ଚିନ୍ତା କରିଥିବା କହିଥିଲେ।