Categories: ଫୁରସତ

ପରିଚୟ ଦେଇଛି ଖବରକାଗଜ: ଏମାନେ କେବଳ ପଢନ୍ତି ନାହିଁ, ସାଇତି ରଖିବାରେ ରହିଛି ରୁଚି

ଖବରକାଗଜ ହେଉଛି ସମାଜର ଦର୍ପଣ। ତେଣୁ ଖବରକାଗଜକୁ ଊଣା ଅଧିକେ ପ୍ରାୟ ସମସ୍ତେ ପଢନ୍ତି। ଅନେକଙ୍କର ଖବରକାଗଜ ପଢା ବିନା ଦିନ ଆରମ୍ଭ ହୋଇନ ଥାଏ। କିନ୍ତୁ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ଖବରକାଗଜ କେବଳ ପଢନ୍ତି ନାହିଁ, ତାକୁ ସାଇତି ରଖିବାରେ ବି ବେଶ୍‌ ରୁଚି ରଖନ୍ତି। ଏମିତିକି ଖବରକାଗଜ ସଂଗ୍ରହ କରିବା ପାଇଁ ବର୍ଷ ବର୍ଷ ଧରି ଘୂରିବୁଲିଛନ୍ତି ବିଭିନ୍ନ ସ୍ଥାନକୁ। ଖବରକାଗଜ ସାଇତି ରଖିବାର ନିଶା ତାଙ୍କୁ ଦେଇଛି ଭିନ୍ନ ପରିଚୟ। ଏଥିପାଇଁ ବିଭିନ୍ନ କ୍ଷେତ୍ରରୁ ତାଙ୍କୁ ମିଳିଛି ବହୁ ସମ୍ମାନ ଓ ପୁରସ୍କାର । ଏମାନଙ୍କ ମଧ୍ୟରେ କିଏ ସ୍ବତନ୍ତ୍ରଭାବେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ପ୍ରକାଶିତ ଏକାଧିକ ପତ୍ରପତ୍ରିକାରୁ ସଂଗୃହୀତ ନାନା ଲେଖାକୁ ସଂଗ୍ରହ କରିଛନ୍ତି ତ ପୁଣି କିଏ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ପ୍ରକାଶିତ କେତେକ ଲେଖାକୁ ସାଇତି ରଖିଛନ୍ତି। ଆଉ କିଏ ପରିବେଶ ସୁରକ୍ଷାକୁ ନେଇ ପ୍ରକାଶିତ ବିଭିନ୍ନ ଖବର, ଫିଚରକୁ ସାଇତିଛନ୍ତି। ପୁଣି କଳିଙ୍ଗ, ଉତ୍କଳ ଓ ଓଡ଼ିଶା ନାମରେ ନାମକରଣ ହୋଇଥିବା କେତୋଟି ଖବରକାଗଜକୁ ସାଇତି ରଖିଛନ୍ତି। ସେମିତି କେତେଜଣ ଖବରକାଗଜ ସଂଗ୍ରାହକଙ୍କ ସମ୍ପର୍କରେ-

ଘରକୁ ଆସୁଥିବା ଖବରକାଗଜ ସାଇତିଥିଲି: ଓଡ଼ିଶାରେ ଖବର କାଗଜ ସଂଗ୍ରାହକଙ୍କ କଥା କୁହାଗଲେ ପ୍ରଥମେ ଯାହାଙ୍କ ନାଁ ଆସେ ସେ ହେଲେ ଶଶାଙ୍କ ଶେଖର ଦାଶ। ପିତା ଦୋଳଗୋବିନ୍ଦ ଦାଶ। ମା’ ଲକ୍ଷ୍ମୀପ୍ରିୟା ଦାଶ। ଘର ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗାବାଦ ଗ୍ରାମରେ। ବିଶ୍ୱର ସର୍ବାଧିକ ଖବରକାଗଜ ସଂଗ୍ରହକରି ସେ ଗିନିଜ ୱାଲର୍‌ଡ ରେକର୍ଡସ୍‌ର ଅଧିକାରୀ ହୋଇପାରିଛନ୍ତି । ସେ କୁହନ୍ତି, ‘ମୋ ସ୍କୁଲ ସମୟରେ ଆମ ଘରକୁ ବିଭିନ୍ନ ପ୍ରକାର ପତ୍ରପତ୍ରିକା ଓ ଖବରକାଗଜ ଆସୁଥିଲା। ପିଲାଟିଦିନରୁ ସେଗୁଡ଼ିକୁ ଦେଖି ପଢ଼ିବା ଓ ସଂଗ୍ରହ କରିବାରେ ମନ ବଳାଇଥିଲି। ତେବେ ୨୦୦୦ ମସିହାରେ ଏକ ପତ୍ରିକା ପ୍ରେସ୍‌ରେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଖବରକାଗଜକୁ ସଂଗ୍ରହ କଲି। କିଛିବର୍ଷ ମଧ୍ୟରେ ଅରଙ୍ଗାବାଦଠାରେ ଦୋଳଗୋବିନ୍ଦ ନ୍ୟୁଜ୍‌ପେପର ମ୍ୟୁଜିୟମ ଆଣ୍ଡ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା କରିଛି। ଏଥିରେ ପ୍ରାୟ ୧୦,୦୦୦ରୁ ଅଧିକ ନାନା ପ୍ରକାରର ବିଭିନ୍ନ ଭାଷାର ତଥା ଦେଶ ବିଦେଶର ଖବରକାଗଜ ସଂଗ୍ରହ ହୋଇ ରହିଛି; ଯାହା କି ୧୪୨ଟି ଦେଶର ହୋଇଥିବା ବେଳେ ତାହ ୯୪ଟି ଭାଷାର। ଖବରକାଗଜଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ଆମେରିକା, ଅଷ୍ଟ୍ରେଲିଆ, ବାଂଲାଦେଶ, ବେଲଜିୟମ, ଭୁଟାନ, କାଲିଫର୍ନିଆ, କାନାଡା, ଚାଇନା, ଇଂଲଣ୍ଡ, ଇଥିଓପିଆ, ଫିନ୍‌ଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଭାରତ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ଇସ୍ରାଏଲ, ଇଟାଲି, ଜାପାନ, କେନିଆ, ଲାଓସ, ମାଲେସିଆ, ମାଞ୍ଚେଷ୍ଟର, ନେପାଳ, ନେଦରଲାଣ୍ଡ, ନିଉଜିଲାଣ୍ଡ, ଓମାନ, ଫିଲିପାଇନ୍ସ, ଦୁମାଲି, ପାନାମା, ରୁଷିଆ, ସାଉଦି ଆରବ, ସିଙ୍ଗାପୁର, ଦକ୍ଷିଣକୋରିଆ, ଶ୍ରୀଲଙ୍କା, ସୁଇଜରଲାଣ୍ଡ, ତାଇୱାନ, ଥାଇଲାଣ୍ଡ, ତିମୋର, ତୁର୍କୀ, କାତାର, ଉଗାଣ୍ଡା ଓ ୟୁନାଇଟେଡ ଆରବ ଏମିରେଟ୍ସ ଦେଶର ଅଟେ । ଖବରକାଗଜଗୁଡ଼ିକ ଆରବୀ, ଆସାମୀ, ଅଷ୍ଟ୍ରେଲିଆ, ଇଂରାଜୀ, ବଙ୍ଗଳା, ଚାଇନା, ଡଚ୍‌, ଜର୍ମାନୀ, ଗୁଜରାଟୀ, ହିନ୍ଦୀ, ଇଟାଲିଆନ, ଜାପାନୀ, କନ୍ନଡ଼, କୋଙ୍କଣୀ, କୋଶଳୀ, କୁଡ଼ୁମାଲୀ, ମାଲାୟାଲମ, ମରାଠୀ, ନେପାଳୀ, ଓଡ଼ିଆ, ଓ ଇଂରାଜୀ ଲିପି, ପାସ୍ତୋ, ପାବୀ, ରୁଷିଆନ, ସଂସ୍କୃତ, ସାନ୍ତାଳୀ, ସ୍ପାନିସ୍‌, ତାଇୱାନିସ୍‌, ତାମିଲ, ତେଲୁଗୁ, ଟେଟମ, ଥାଇ ଓ ଉର୍ଦ୍ଦୁ ଭାଷାର ଅଟେ। ଉତ୍କଳ ନାମ ଥାଇ ଉତ୍କଳ ଦୀପିକା, ଉତ୍କଳ ଦର୍ଶନ, ଉତ୍କଳ ମେଲ, ଉତ୍କଳ ସମାଜ, ଉତ୍କଳ ଉଜ୍ଜଲା, ଉତ୍କଳ ସମାଚାର, ଉତ୍କଳ ରିପୋର୍ଟର, ଉତ୍କଳ ପ୍ରଭା, ଉତ୍କଳ ପ୍ରହରୀ, ଉତ୍କଳ ଲିପି ଆଦି ୩୩ଟି, ଓଡ଼ିଶା ନାମ ଥାଇ ଓରିଶା ପୋଷ୍ଟ, ଓରିଶା ଟାଇମସ୍‌, ଓରିଶା ରିପୋର୍ଟର, ଓରିଶା ଏକ୍ସପ୍ରେସ, ଓରିଶା ମିଜାଜ, ଓରିଶା ମିଡ୍‌ ଡେ, ଓଡ଼ିଶା ନ୍ୟୁଜ୍‌, ଓଡ଼ିଶା ଭାସ୍କର, ଓଡ଼ିଶା ସନ୍ଦେଶ, ଓଡ଼ିଶା କଥା, ଓଡ଼ିଶାବାର୍ତ୍ତା, ଓଡ଼ିଶା ଉଦୟ, ଓଡ଼ିଶା ଖବର ଆଦି ୩୮ଟି ଏବଂ କଳିଙ୍ଗ ନାମ ଥାଇ କଳିଙ୍ଗ, କଳିଙ୍ଗ ଭାରତୀ, କଳିଙ୍ଗମେଲ, କଳିଙ୍ଗପୁତ୍ର, କଳିଙ୍ଗ ପ୍ରଭା, କଳିଙ୍ଗ ଭାରତ, କଳିଙ୍ଗଗୌରବ, କଳିଙ୍ଗ ସମାଚାର, କଳିଙ୍ଗ ଖବର ପ୍ରାୟ ୩୨ଟି ଖବରକାଗଜ ଓ ପତ୍ରପତ୍ରିକା ସାଇତି ରଖିଛି। ଖବରକାଗଜକୁ ନେଇ ଲିମ୍‌କା ବୁକ୍‌ ଅଫ ରେକର୍ଡସ- ୨୦୧୩ (ଦୁଇଥର)। ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ- ୨୦୧୩। ଲିମ୍‌କା ବୁକ୍‌ ଅଫ ରେକର୍ଡସ- ୨୦୧୯, କ୍ରେଡେନ୍ସ ବୁକ୍‌ ଅଫ ୱାଲର୍‌ଡ ରେକର୍ଡ- ୨୦୧୯, ଲିମ୍‌କା ବୁକ୍‌ ଅଫ ରେକର୍ଡସ- ୨୦୨୦-୨୨ ପୁସ୍ତକ (ଦୁଇଥର)। ଓଏମ୍‌ଜି ବୁକ୍‌ ଅଫ ରେକର୍ଡସ- ୨୦୨୧, ଗିନିଜ ୱାଲର୍‌ଡ ରେକର୍ଡସ-୨୦୨୨ ସମେତ ବିଭିନ୍ନ ସଂସ୍ଥାରୁ ପୁରସ୍କୃତ ଓ ସମ୍ମାନିତ ହୋଇଛି।’

ଗାନ୍ଧିଜୀଙ୍କ ସମ୍ପର୍କିତ ଖବର ସଂଗ୍ରହ: ପିଲାଦିନେ ସେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ମା’ଙ୍କଠାରୁ ଶୁଣୁଥିଲେ। ତେଣୁ ସ୍କୁଲ ବୟସରୁ ଗାନ୍ଧିଜୀଙ୍କ ସମ୍ପର୍କିତ ଯେଉଁ ଖବର ବାହାରୁଥିଲା ତାକୁ ସେ ସଂଗ୍ରହ କରୁଥିଲେ। ସମୟକ୍ରମେ ସର୍ବଭାରତୀୟସ୍ତରରେ ୧୫ରୁ ଅଧିକ ଭାଷାରେ ପ୍ରକାଶିତ ପ୍ରାୟ ୪୫୩ରୁ ଅଧିକ ଖବରକାଗଜ ସଂଗ୍ରହକରି ସେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଥିଲେ। ସେ ହେଲେ ଯାଜପୁର ଜିଲା ବରୀ ବ୍ଳକ ଅନ୍ତର୍ଗତ ଔପଦା ଗାଁର ଅଶୋକ କୁମାର ସାହୁ । ପରିବାର ଚଳାଇବା ପାଇଁ ନିଜସ୍ବ ଉଦ୍ୟମରେ ଏକ ଡିଟିପି ସେଣ୍ଟର କରିଛନ୍ତି। ତେବେ ତାଙ୍କର ନିଶା ଗାନ୍ଧିଜୀଙ୍କ ସମ୍ପର୍କିତ ବିଭିନ୍ନ ସ୍ମୃତି ସଂଗ୍ରହ କରିବା। ସେ କୁହନ୍ତି, ମୋ ମା ପିଲାଦିନେ ଗାନ୍ଧିଜୀଙ୍କ ଜୀବନୀ କହୁଥିଲେ ମାତ୍ର ସ୍କୁଲ ବୟସରେ ମହାତ୍ମା ଗାନ୍ଧୀଙ୍କୁ ଜାଣିବା ପାଇଁ ମନରେ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥିଲା। ସେଥିପାଇଁ ବିଭିନ୍ନ ପତ୍ରପତ୍ରିକା ପଢିବା ସହିତ ତାଙ୍କ ସମ୍ପର୍କରେ ପ୍ରକାଶିତ ଲେଖାକୁ ସଂଗ୍ରହ କରୁଥିଲି। ତେବେ୨୦୧୨, ଅକ୍ଟୋବର ୨ରେ ଗାନ୍ଧିଜୀଙ୍କ ଜନ୍ମଦିବସ ଅବସରରେ ପ୍ରାୟ ୧୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରକାଶିତ ୧୫ଟି ଭାଷାର ପ୍ରାୟ ୪୫୩ଟି ଖବରକାଗଜକୁ ସଂଗ୍ରହ କରିଥିଲି, ଯେଉଁଥିରେ କି ଗାନ୍ଧିଜୀଙ୍କ ସମ୍ପର୍କରେ ଲେଖା ପ୍ରକାଶିତ ହୋଇଥିଲା। ଏଥିପାଇଁ ଏହି ଖବରକାଗଜ ସଂଗ୍ରହ ନିମନ୍ତେ ବିଭିନ୍ନ ଅଞ୍ଚଳରେ ରହୁଥିବା ବନ୍ଧୁମାନଙ୍କ ସହଯୋଗରେ ସେମାନଙ୍କୁ ଅନୁରୋଧ କରି ଜଣାଇଥିଲି ସେ ଦିନର ଖବରକାଗଜଟିଏ ଆଣିବା ପାଇଁ । ଏଥିରେ ସଫଳତା ପାଇଥିଲି। ତେବେ ଗାନ୍ଧିଜୀଙ୍କ ବିଷୟରେ ଲେଖାଥିବା ବିଭିନ୍ନ ଲେଖକଙ୍କ ୨୭୦ଟି ବହିକୁ ମଧ୍ୟ ସାଇତି ରଖିଛି । ସେହିପରି ଭାରତ ଓ ଭାରତ ବାହାରେ ବିଭିନ୍ନ ସ୍ଥାନରେ ଥିବା ୧୮୫ଟି ଗାନ୍ଧିଜୀଙ୍କ ପ୍ରସିଦ୍ଧ ପ୍ରତିମୂର୍ତ୍ତିର ଫଟୋକୁ ସଂଗ୍ରହ କରି ରଖିଛି। ଏଥିସହିତ ବହୁ ବିରଳ ଲେଖା ଓ ଫଟୋ ଆଦି ସଂଗ୍ରହ କରିବାର ନିଶା ଏବେ ବି ରହିଛି। ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ଖର୍ଚ୍ଚ ମଧ୍ୟ ହୋଇଛି। ସାରା ଜୀବନ ଗାନ୍ଧିଜୀଙ୍କ ସ୍ମୃତି ସାଉଁଟିବାର ପ୍ରୟାସ ଜାରି ରହିଛି। ଗାନ୍ଧିଜୀଙ୍କ ସମ୍ପର୍କରେ ସାଇତି ରଖିଥିବା ନାନା ସ୍ମୃତିକୁ ଏକ ସଂଗ୍ରହାଳୟରେ ରଖିବା ପାଇଁ ଉଦ୍ୟମ କରୁଛି। ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ବିଭିନ୍ନ ପତ୍ରପତ୍ରିକାର ଲେଖା ଓ ଫଟୋରୁ ଗାନ୍ଧୀଙ୍କ ସମ୍ପର୍କରେ ଜାଣିବା ପାଇଁ ସ୍କୁଲ କଲେଜର ଛାତ୍ରୀଛାତ୍ର ଓ ଗବେଷକମାନେ ଏଠାକୁ ମଧ୍ୟ ଆସୁଥିବାରୁ ଖୁସୀ ହୋଇଥାଏ। ସେମାନେ ଏଥିରୁ ଉପକୃତ ହେବା ସହିତ ଆଗାମୀ ପିଢିଙ୍କ ପାଇଁ ଏହା ଏକ ବାର୍ତ୍ତା ଦେଇଥାଏ। ମୋର ଏହି ପ୍ରତିଭା ପାଇଁ ବିଭିନ୍ନ ସଂସ୍ଥାରୁ ପୁରସ୍କୃତ ଓ ସମ୍ମାନିତ ହୋଇଅଛି।

ବିଜୁବାବୁଙ୍କ ସ୍ମୃତିସନ୍ତକ ରଖୁଥିଲି: ଓଡ଼ିଶାର ପ୍ରବାଦପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହିତ ଥରେ ସେ ଦେଖା ହୋଇଥିଲେ। ଆଉ ସେବେଠାରୁ ବିଜୁବାବୁଙ୍କ ସମ୍ପର୍କିତ ବିଭିନ୍ନ ଖବରକାଗଜ ପ୍ରକାଶିତ ଲେଖା, ଖବର ଓ ପତ୍ରପତ୍ରିକାକୁ ସାଇତି ରଖିଛନ୍ତି। ସେ ହେଲେ ସୁଜିତ ପଟ୍ଟନାୟକ, ପିତା ସୁରେନ୍ଦ୍ରନାଥ ପଟ୍ଟନାୟକ, ମା ଲକ୍ଷ୍ମୀପ୍ରିୟା । ଘର କେନ୍ଦୁଝର ଜିଲା ସଦର ବଜାରର ପୋଷ୍ଟଅଫିସ ନିକଟରେ। ସେ କୁହନ୍ତି, ଆମ ଘରକୁ ବାପାଙ୍କ ସମୟରୁ ପ୍ରତିଦିନ ୫/୬ଟି ଭାଷାର ଖବରକାଗଜ ଆସୁଥିଲା। ସମୟକ୍ରମେ ମଁୁ ବିଭିନ୍ନ ଅଞ୍ଚଳକୁ ବୁଲିବାକୁ ଯାଉଥିବା ବେଳେ ସେହି ଅଞ୍ଚଳରେ ପ୍ରକାଶ ପାଉଥିବା ବିଭିନ୍ନ ଖବର କାଗଜକୁ ସଂଗ୍ରହକରି ଘରକୁ ଆଣୁଥିଲି। କିଛିଦିନ ପରେ ଖବରକାଗଜଗୁଡ଼ିକ ଘରେ ଗଦାହୋଇ ରହୁଥିଲା। ମାତ୍ର ସେଥିରେ ପ୍ରକାଶିତ ବିଭିନ୍ନ ଲେଖାକୁ ପଢିଲା ପରେ ସେହି ଖବରକାଗଜ ଓ ପତ୍ରପତ୍ରିକାକୁ ସାଇତି ରଖିବାକୁ ଆଗ୍ରହ କରିଥିଲି। ୧୯୪୮ ମସିହାରୁ ବିଭିନ୍ନ ଖବରକାଗଜ ସଂଗ୍ରହର ନିଶା ମୋତେ ଘାରିଥିଲାା। ସେତେବେଳେ ପ୍ରଜାତନ୍ତ୍ରକୁ କିଛି କିଛି ଲେଖା ଦେଇ ଖୁସି ହେଉଥିଲି। ଆମ ଅଞ୍ଚଳର କେହି ଚିହ୍ନାଲୋକ ଯିଦି ରାଜ୍ୟ ବାହାରକୁ ଯାଉଥିଲେ ସେମାନଙ୍କୁ ସେଠାର ଖବରକାଗଜଟିଏ ଆଣିବାକୁ ଅନୁରୋଧ କରୁଥିଲି। ଏବେ ମୋ ପାଖରେ ପ୍ରାୟ ୯ଶହ ପ୍ରକାରର ବିଭିନ୍ନ ଖବରକାଗଜ ମଧ୍ୟରେ ଦୈନିକ ୧୨୨ ପ୍ରକାରର, ସାପ୍ତାହିକଭାବେ ୨୮୪ ପ୍ରକାରର, ୧୭୦ ପ୍ରକାରର ପାକ୍ଷିକ, ମାସିକ ୧୫୦ ପ୍ରକାରର, ତ୍ରୟମାସିକ ୮ ପ୍ରକାରର, ନିଯୁକ୍ତିଖବର ୧୨ ପ୍ରକାରର ଏବଂ କେତେକ ପୁରୁଣା ବିରଳ ଖବରକାଗଜର ଜେରକ୍ସ ୧୭୬ ପ୍ରକାରର, ବିଦେଶୀ ଖବର କାଗଜ ୧୦୯ ପ୍ରକାରର, ୧୫୨ ପ୍ରକାରର ନ୍ୟୁଜ୍‌ ଲେଟର, ପଞ୍ଜାବୀ ୧୫ ପ୍ରକାରର, ଗୁଜରାଟୀ ୨୮ ପ୍ରକାରର, ବେଙ୍ଗଲୀ ୪୬ ପ୍ରକାରର, ଉର୍ଦ୍ଦୁ ୧୦୮ ପ୍ରକାରର, ଇଂଲିଶ ୨୧୪ ପ୍ରକାରର, ହିନ୍ଦୀ ୪୨୪ ପ୍ରକାରର ବିଭିନ୍ନ ପତ୍ରପତ୍ରିକା ସାଇତି ରଖିଛି। ଏହା ବ୍ୟତୀତ ମରାଠୀ, ତେଲୁଗୁ, ତାମିଲ, ଖାସି ଆଦି ଭାଷାର ରହିଛି। ଏଥିପାଇଁ ଶତାଧିକ ଅନୁଷ୍ଠାନରୁ ମୋତେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି। କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘ, କଳିଙ୍ଗରତ୍ନ, ବିଜୁ ପ୍ରତିଭା ସମ୍ମାନ, ଇଣ୍ଡିଆ ବୁକ୍‌ ଅଫ ରେକର୍ଡ ଏବଂ ବିରଳ ମୁଦ୍ରଣ ସମ୍ବାଦପତ୍ର ସଂଗ୍ରାହକ ଭାବେ ଭାରତୀୟ ସାମ୍ବାଦିକ ୟୁନିୟନ ତରଫରୁ ପୁରସ୍କୃତ ହୋଇଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରବାଦପୁରୁଷ କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଜୀବନୀ ଆଧାରିତ ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକ ଏବଂ ଫଟୋକୁ ସଂଗ୍ରହକରି ରଖିଛି। ବିଜୁବାବୁଙ୍କ ସମ୍ପର୍କରେ ବିଭିନ୍ନ ପତ୍ରପତ୍ରିକା ସହ ଏକାଧିକ ପୁସ୍ତକ ସଂଗ୍ରହକରି ରଖିଛନ୍ତି। ସେ କୁହନ୍ତି, ୧୯୯୪ ମସିହାରେ ବିଜୁବାବୁଙ୍କ ସହିତ ସ୍ଥାନୀୟ ସର୍କିଟ ହାଉସଠାରେ ପ୍ରଥମେ ସାକ୍ଷାତ ଓ ଆଲୋଚନା କରି ବହୁତ ଖୁସୀ ହୋଇପଡ଼ିଥିଲି। ସେ କଥା ସବୁଦିନ ମୋର ମନେରହିଥିବ। ସେବେଠାରୁ ବିଜୁବାବୁଙ୍କ ସମ୍ପର୍କିତ ପୁସ୍ତକ, ଫଟୋ ଏବଂ ଖବର ସଂଗ୍ରହ ଜାରି ରଖିଛି। ବିଜୁବାବୁଙ୍କ ସମ୍ପର୍କିତ ଓଡ଼ିଆ, ହିନ୍ଦୀ, ଇଂରାଜୀ ଓ ସଂସ୍କୃତରେ ପ୍ରକାଶିତ ୧୨୦ଖଣ୍ଡ ବହି, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ପ୍ରାୟ ୩୦୦ଟି ଫଟୋ, ୨୧୨ଟି ଫଟୋଥିବା ପୋଷ୍ଟକାର୍ଡ, ବିଜୁବାବୁଙ୍କ ସାପ୍ତାହିକ ଖବରକାଗଜ କଳିଙ୍ଗ ପ୍ରଭୃତି ସାଇତି ରଖିଛି। ମାତ୍ର ବିଜୁବାବୁଙ୍କ ସ୍ମୃତି ଉଦ୍ଦେଶ୍ୟରେ କେନ୍ଦୁଝରରେ ଏକ ଖବରକାଗଜ ମ୍ୟୁଜିୟମ ଏବଂ ଗବେଷଣା କେନ୍ଦ୍ରଟିଏ ସ୍ଥାପନ ପାଇଁ ସରକାରଙ୍କୁ ନିବେଦନ କରିଛି। ବର୍ତ୍ତମାନ ମୋତେ ବୟସ ପ୍ରାୟ ୬୩ ହେଲାଣି ମାତ୍ର ବିଜୁବାବୁଙ୍କ ସ୍ମୃତି ସଂଗ୍ରହରେ ପ୍ରାୟ ୪୦ ବର୍ଷ ବିତିଗଲାଣି। ଏହି ସଂଗ୍ରହ ନିଶାରେ ପ୍ରାୟ ୫୦ ଲକ୍ଷ ଟଙ୍କା ମୋର ଖର୍ଚ୍ଚ ହୋଇସାରିଲାଣି।

ପରିବେଶ ସୁରକ୍ଷା ପାଇଁ ଲେଖା ପ୍ରେରଣା ଦେଇଥିଲା: ପରିବେଶ ସୁରକ୍ଷା ପାଇଁ ସାଧାରଣତଃ ବୃକ୍ଷରୋପଣ ପାଇଁ ପ୍ରତି ଗୁରୁତ୍ୱ ଦେବାକୁ ପଡ଼ିଥାଏ। ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଖବର, ଫିଚର, ଫଟୋ ଓ ନାନା ଲେଖାକୁ ସଂଗ୍ରହକରି ରଖିଛନ୍ତି ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମର ଜଣେ ଅବସରପ୍ରାପ୍ତ କର୍ମଚାରୀ। ସେ ହେଲେ ବିଭୂତି ପଟ୍ଟନାୟକ, ପିତା ଦଣ୍ଡପାଣି ପଟ୍ଟନାୟକ, ମାତା କାଞ୍ଚନବାଳା ପଟ୍ଟନାୟକ। ଘର ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର। ବର୍ତ୍ତମାନ ସେ ରହୁଛନ୍ତି ଖୋର୍ଦ୍ଧା ଜିଲାର ଜଟଣୀ ଶ୍ରୀହରି ବିହାରରେ। ସେ କୁହନ୍ତି, ମୋତେ ଏବେ ବୟସ ପ୍ରାୟ ୭୧ ବର୍ଷ ଟପିଲାଣି, ମାତ୍ର ୧୯୭୫ ମସିହାରୁ ପ୍ରଥମେ ଡାକଟିକେଟ, ଦିଆସିଲି ଖୋଳ ସଂଗ୍ରହର ନିଶା ଘାରିଥିଲା। ସମୟକ୍ରମେ ଟ୍ରେନ୍‌ ଟିକେଟ ସଂଗ୍ରହ କଲି। କିନ୍ତୁ ୮୦ ପ୍ରକାରର ବିଭିନ୍ନ ବିଭାଗର ବିଷୟ ସମ୍ପର୍କରେ ନାନା କଥା ଜାଣିବା ପାଇଁ ସଂଗ୍ରହ ନିଶା ବଢ଼ିଯାଇଥିଲା। ଏମିତିରେ ବିଶେଷକରି ପରିବେଶ ସୁରକ୍ଷା ସମ୍ପର୍କିତ ପ୍ରାୟ ୧୨ଶହରୁ ଊର୍ଦ୍ଧ୍ୱ ଖବର, ଫିଚର, ଫଟୋ ଓ ଲେଖାକୁ ସଂଗ୍ରହ କରି ରଖିଛି। ବିଭିନ୍ନ ଭାଷାର ପତ୍ରପତ୍ରିକା ଓ ପୁସ୍ତକରୁ ସଂଗ୍ରହ କରିପାରିଛି। ଏଥିରେ ମତେ ଆନନ୍ଦ ମିଳିଥାଏ। ଏହି ସଂଗ୍ରହ ନିଶାରେ ବିଭିନ୍ନ ସ୍ଥାନ ବୁଲି ବିତିଗଲାଣି ୪୮ ବର୍ଷ। ଖବରକାଗଜରେ ପ୍ରକାଶିତ ପରିବେଶ ସୁରକ୍ଷା ସମ୍ପର୍କିତ ନାନା ଲେଖାକୁ ସଂଗ୍ରହକରି ସାଇତି ରଖିଛି। ସଂଗ୍ରହ କାର୍ଯ୍ୟ ପାଇଁ ୨୦୧୩ରେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ ଏବଂ ୨୦୧୪ରେ ଇଣ୍ଡିଆ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛି। ସେହିପରି ୨୦୨୦ରେ ଲିମ୍‌କା ବୁକ୍‌ ଅଫ ରେକର୍ଡସ ହାସଲ କରିଛି। ତେବେ ପ୍ରତ୍ୟେକ ବର୍ଷ ଜୁନ୍‌ ୫କୁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଇଥାଏ। କିନ୍ତୁ ପରିବେଶର ସୁରକ୍ଷା ନିମନ୍ତେ ଜନସଚେତନତାର ଆବଶ୍ୟକତା ରହିଛି। ଏଥିପାଇଁ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରୁ ପରିବେଶ ଦିବସର ତାତ୍ପର୍ଯ୍ୟ, ପରିବେଶକୁ ସୁସ୍ଥ ରଖିବା, ପରିବେଶ ସଚେତନତା, ସାଇକେଲ ରାଲି, ପରିବେଶ ସୁରକ୍ଷା ଆମର ମିଳିତ ଦାୟିତ୍ୱ, ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ, ପରିବେଶ ସୁରକ୍ଷା ଜୀବନ ରକ୍ଷା, ମଣିଷ ପରିବେଶ ଉପରେ ନିର୍ଭର ଶୀଳ, ପ୍ରକୃତିର ଦାନ, ସବୁଜ ବଳୟର ଅବକ୍ଷୟ, ମା-ମାଟି ଓ ପ୍ରକୃତିର ସଂରକ୍ଷକ, ପ୍ରକୃତିପ୍ରେମୀ ଆଦି ପ୍ରାୟ ୧୨ଶହ ପ୍ରକାର ଲେଖା ସାଇତି ରଖିଛି। ଏହା ପରିବେଶପ୍ରେମୀ ଛାତ୍ରୀଛାତ୍ର ଓ ଗବେଷକଙ୍କୁ ସହାୟକ ହୋଇପାରିବ ।-ବନବିହାରୀ ବେହେରା।

Share