Categories: ବାଣିଜ୍ୟ

ଅକ୍ଟୋବର ୫ରେ ମୋରାଟୋରିୟମ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଋଣ ମୋରାଟୋରିୟମ ସୁବିଧା ବଢ଼ାଇବା ଏବଂ ଋଣ କିସ୍ତିର ସୁଧ ଉପରେ ସୁଧ ଲାଗୁ ମାମଲାର ସୁପ୍ରିମକୋର୍ଟ ପୁଣି ଥରେ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ସରକାର ଏହି ପ୍ରସଙ୍ଗ ଉପରେ ବିଚାର କରୁଛନ୍ତି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ନେବା ସମ୍ଭାବନା ରହିଛି। ଏ ନେଇ ଗୁରୁବାର ସୁଦ୍ଧା ସରକାର ସ୍ପଷ୍ଟ କରିବାକୁ ପ୍ରୟାସ କରିବେ। ଅକ୍ଟୋବର ୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।
ଏହି ମାମଲାର ଶୁଣାଣି ଶୀଘ୍ର କରିବାକୁ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରାଜୀବ ଦତ୍ତା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଛନ୍ତି। ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଶୁଣାଣି ସମୟରେ ସଲିସିଟର ଜେନେରାଲ ନ୍ୟାୟାଳୟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗରେ କିଛି ଆର୍ଥତ୍କ ମାମଲା ଜଡିତ ରହିଛି। ପ୍ରସଙ୍ଗଗୁଡିକୁ ବିଚାରକରିବା ଲାଗି ସମୟର ଆବଶ୍ୟକତା ରହିଛି। ଅକ୍ଟୋବର ପହିଲାରେ ମୋରାଟୋରିୟମ ମାମଲାର ସତ୍ୟପାଠ ଦାଖଲ କରିବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ କହିଥିଲେ, ଋଣ କିସ୍ତି ପ୍ରଦାନ କରିବାକୁ ସକ୍ଷମ ହେଉ ନ ଥିବା ଆକାଉଣ୍ଟଗୁଡିକୁ ଆଗାମୀ ୨ ମାସ ଯାଏ ଏନ୍‌ପିଏ ଘୋଷଣା କରା ନ ଯାଉ। ସୋମବାର ହୋଇଥିବା ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି, ଏହି ନିର୍ଦ୍ଦେଶ ଆଗାମୀ ୨ ମାସ ଯାଏ ଜାରି ରହିବ। ଅର୍ଥାତ୍‌ ନଭେମ୍ବର ୩ ଯାଏ କିସ୍ତି ପ୍ରଦାନ ନ କରିବା କ୍ଷେତ୍ରରେ ଆକାଉଣ୍ଟ ଏନ୍‌ପିଏ ହେବ ନାହିଁ।

Share