ନୂଆଦିଲ୍ଲୀ: ପରବର୍ତ୍ତୀ ପର୍ଯ୍ୟାୟ ସ୍ପେକ୍ଟ୍ରମ ନିଲାମକୁ କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁର ପ୍ରଦାନ କରିଛି। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଟେଲିକମ୍ ବିଭାଗ ଅଧୀନ ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଡିଜିଟାଲ କମ୍ୟୁନିକେଶନ କମିଶନ ଚଳିତ ବର୍ଷ ମେ ମାସରେ ସ୍ପେକ୍ଟ୍ରମ ନିଲାମ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଥିଲେ। ପରେ ଏହି ପ୍ରସ୍ତାବ କ୍ୟାବିନେଟ ମଞ୍ଜୁରୀ ଲାଗି ପଠାଯାଇଥିଲା। ଆଗାମୀ ଦିନରେ ଟେଲିକମ ବିଭାଗ ସ୍ପେକ୍ଟ୍ରମ ନିଲାମ ସଂକ୍ରାନ୍ତ ନୋଟିସ ଜାରି କରିବ। ୫.୨୨ ଲକ୍ଷ କୋଟି ଟଙ୍କାର ଏୟାରଓ୍ବେଭକୁ ସରକାର ନିଲାମ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ୩.୯୨ ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ବ୍ୟବହାର ନ ହୋଇ ବିଭାଗ ନିକଟରେ ପଡି ରହିଛି।