ଜଳେଶ୍ୱର,୧୪।୪(ଡି.ଏନ.ଏ.): ୬୦ନଂ. ଜାତୀୟ ରାଜପଥ(ଏନ୍ଏଚ୍)ର ଜଳେଶ୍ୱର ନିକଟ ଉପାନ୍ତ ଲକ୍ଷ୍ମଣନାଥ ଟୋଲପ୍ଲାଜାର ୨ଶହ ମିଟର ଉତ୍ତର ଓ ଦକ୍ଷିଣ ଦିଗକୁ ଦୀର୍ଘବର୍ଷ ଧରି କେତେକ ଉଠାଦୋକାନୀ ଜବରଦଖଲ କରି ରଖିଥିଲେ। ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏସବୁ ଉଚ୍ଛେଦ କରାଯାଇଛି ା ଏବେ ସେଠାରେ ତନଖି ଫାଟକ ନ ଥିଲେ ମଧ୍ୟ କେତେକ ଯୁବକ ବ୍ୟାପକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା ା ସେଠାରେ ନିକଟସ୍ଥ ଗ୍ରାମବାସୀ ନିଜର ପେଟପାଟଣା ଲାଗି ରାସ୍ତାକଡରେ ଉଠା ଦୋକାନ କରି ପରିବାର ଚଳାଉଥିଲେ। ସେମାନଙ୍କୁ ଥଇଥାନ କରିବାକୁ ଦାବି ହୋଇଛି ା ଉକ୍ତ ସ୍ଥାନରେ ୟୁନିଫାଏଡ ଚେକ୍ଗେଟ୍ ନ ଥିଲେ ମଧ୍ୟ ଟୋଲପ୍ଲାଜା ରହିଥିବାରୁ ସବୁ ସମୟରେ ଶହ ଶହ ଟ୍ରକ୍, ବସ୍ ଅଟକିଥାଏ ା ତେଣୁ ସ୍ଥାନୀୟ କେତେକ ଯୁବକ ଏହାର ସୁଯୋଗ ନେଇ ବ୍ୟାପକ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ପକ୍ଷରୁ ପ୍ରାୟ ୭୦ ଦୋକାନ ଘରକୁ ଉଚ୍ଛେଦ କରିବା ଲାଗି ପୂର୍ବରୁ ନୋଟିସ୍ ଦିଆଯାଇଥିଲା। ନୋଟିସ୍କୁ ବେଖାତିର କରାଯିବାରୁ ପ୍ରଶାସନ ପକ୍ଷରୁ ଚରମ ପଦକ୍ଷେପ ନିଆଯାଇଛି। ଜିଲାପାଳ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ତହସିଲଦାର ସ୍ମୃତିରଞ୍ଜନ ମଲ୍ଲିକ, ଏସ୍ଡିପିଓ ଅଙ୍କିତା କୁମ୍ଭାର, ଆଇଆଇସି ରୋଜାଲିନ୍ ବେହେରା, ଜାତୀୟ ରାଜପଥ କର୍ତ୍ତୃପକ୍ଷ ସଂଜୟ ଘଟୋକତ୍ଚ, ଆର୍ଆଇ ଦିଲୀପ ଚାନ୍ଦ ଓ ଶରତ ବେହେରା ପ୍ରମୁଖ ଉଚ୍ଛେଦ ବେଳେ ଉପସ୍ଥିତ ଥିଲେ।