ଜୁନାଗଡ଼,୨୨।୧: ଟ୍ରାଫିକ ନିୟମ ମାନୁ ନ ଥିବାରୁ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ କଳାହାଣ୍ଡି ଜିଲା ଜୁନାଗଡ଼ ପୋଲିସ ପକ୍ଷରୁ ଶୁକ୍ରବାର ଏକ ନିଆରା ପ୍ରୟାସ ଦେଖିବାକୁ ମିଳିଛି। ରାସ୍ତାରେ ଟ୍ରାଫିକ ନିୟମ ମାନି ଯାଉଥିବା ଓ ହେଲମେଟ ପିନ୍ଧିଥିବା ବାଇକ୍ ଚାଳକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଛି। ଜୁନାଗଡ଼ ଭାରପ୍ରାପ୍ତ ଥାନା ଅଧିକାରୀ ଉତ୍ତମ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ପିଆଇ କଲେଜରୁ ଲଙ୍କେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ୩ କି.ମି ସଚେତନତା ଶୋଭାଯାତ୍ରା କରାଯାଇଥିଲା। କାର୍ଯ୍ୟକ୍ରମରେ ଏଏସ୍ଆଇ ସୁରେନ୍ଦ୍ର ସିଂହ, କୁଳମଣି ଶବର, ସାମାଜିକ କର୍ମୀ ସୁଖବିନ୍ଦର ସିଂହଙ୍କ ସମେତ ଥାନା କର୍ମଚାରୀ, ଗୃହରକ୍ଷୀ, ଯବାନ ସାମିଲ ହୋଇଥିଲେ।