ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍‌ ଓ ୧ ହଜାର ଟଙ୍କା ଦିଆଯାଉଛି। ପଞ୍ଚାୟତ ଅଧୀନରେ ଥିବା ଗ୍ରାମର ସମସ୍ତ ହିତାଧିକାରୀ ଏକ ସଙ୍ଗରେ ଆସି ପଞ୍ଚାୟତ କାର୍ଯ୍ୟାଳୟରେ ଶହ ଶହ ରାଶନକାର୍ଡ ଜମା ଦେଉଛନ୍ତି ଏବଂ ଉକ୍ତ ବ୍ୟାଗ୍‌ ଓ ଟଙ୍କା ଟିପଚିହ୍ନ ଦ୍ୱାରା ଦିଆଯାଉଛି। ବହୁ ସମୟରେ ନେଟ୍‌ଓ୍ବର୍କ ରହୁ ନ ଥିବା ବେଳେ ଟିପଚିହ୍ନ ସମସ୍ୟା ଯୋଗୁ ପଞ୍ଚାୟତରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିବା ଦେଖିବାକୁ ମିଳୁଛି। ହିତାଧିକାରୀମାନେ କାମଧନ୍ଦା ଛାଡ଼ି ୪/୫ ଦିନ ପଞ୍ଚାୟତକୁ ଯାଇ ସକାଳରୁ ସଞ୍ଜ ଅପେକ୍ଷା କରୁଥିଲେ ମଧ୍ୟ ସଠିକ୍‌ ସମୟରେ ବ୍ୟାଗ୍‌ ଓ ଟଙ୍କା ପାଇ ପାରୁନାହାନ୍ତି। ଭୋକ ଉପବାସରେ ଅପେକ୍ଷା କରି କରି ବିରକ୍ତି ହୋଇ ବହୁ ସମୟରେ ଯୋଗାଣ କରୁଥିବା ଲୋକଙ୍କ ସହିତ ହିତାଧିକାରୀମାନେ ଯୁକ୍ତି ତର୍କ, ପାଟି ତୁଣ୍ଡ କରୁଥିବା ଅଭିଯୋଗ ହୋଇଛି। ସେମାନଙ୍କ ବସିବା ଓ ଖରା ଦାଉରୁ ରକ୍ଷା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଏଣୁ ବ୍ଲକ ପ୍ରଶାସନ ଗୋବର୍ଦ୍ଧନ ପଞ୍ଚାୟତ ସମେତ ଅନ୍ୟ ପଞ୍ଚାୟତଗୁଡ଼ିକରେ କିପରି ରାଶନକାର୍ଡ ହିତାଧିକାରୀମାନେ ହଇରାଣ ହରକତ ନ ହୋଇ ସୂଚାରୁ ରୂପେ ସରକାରଙ୍କ ଯୋଜନାରେ ମିଳୁଥିବା ବ୍ୟାଗ୍‌,ଚାଉଳ,ଟଙ୍କା ଆଦି ପାଇ ପାରିବେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ କେନ୍ଦୁଝରଗଡ଼ ଉପସଭାପତି ଜୟକୃଷ୍ଣ ନାଏକ,ସାଧାରଣ ସମ୍ପାଦକ ଶୈଳବାଳା ପରିଡ଼ା,ପୁଷ୍ପାଞ୍ଜଳି ବେହେରା,ସରୋଜ କୁମାର ସାହୁ,ପ୍ରଦୀପ ବେହେରା,ମୋହନ ପାତ୍ର ଓ ପଞ୍ଚାୟତବାସୀ ପ୍ରମୁଖ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି। ପୂର୍ବରୁ ମକର ପର୍ବ ସମୟରେ ହିତାଧିକାରୀମାନେ ୮/୧୦ ଦିନ ପଞ୍ଚାୟତକୁ ଦଉଡ଼ି ଥିଲେ ମଧ୍ୟ ବହୁ କଷ୍ଟରେ ୪ ମାସର ଚାଉଳ ପାଇ ଥିବା ସ୍ଥାନୀୟ ପଞ୍ଚାୟତବାସୀ ହାଡୁବନ୍ଧୁ ନାଏକ,ଶମ୍ଭୁନାଥ ନାଏକ, ଜଗନ୍ନାଥ ନାଏକ,ହିରନ୍ୟ ମହାକୁଡ଼ କହିଛନ୍ତି।

Share