ନୟାଗଡ଼,୯।୧୧(ଲୋକନାଥ ମିଶ୍ର) ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ବି ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ସିଲିଙ୍ଗା ପଞ୍ଚାୟତର ସଲପଗଣ୍ଡା ଓ ମୂଷିଗୁଡ଼ା ଗାଁରେ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ । ଗାଁକୁ ରାସ୍ତା ନାହିଁ । ରାତିରେ କାଠ ଜଳାଯାଏ। ସେହି ଆଲୁଅରେ ଆଦିବାସୀଙ୍କ ରାତି କଟେ । ସୋଲାର ଲାଇଟ୍ ୨ ବର୍ଷ ହେଲା ଅଚଳ। ଡିବିରି ଜାଳିବାକୁ କିରୋସିନି ମିଳୁନି। ଗାଁରେ ନଳକୂପ ନାହିଁ । ପାନୀୟ ଜଳ ପାଇଁ ଖୋଲା କୂଅ ଭରସା । ପାଠ ପଢ଼ା ପାଇଁ ୧୫ କିମି ଯିବାକୁ ପଡୁଥିବାରୁ ପିଲାଙ୍କ ବହିବସ୍ତାନିରେ ଡୋରି ବନ୍ଧା ହୋଇଛି। ଟେଲିଫୋନ ବି କାମ କରୁନି। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ନେଟ୍ଓ୍ବାକ କାମ କରିଥାଏ। ବିକାଶ ପାହାଡ଼ ଚଢ଼ି ପାରୁ ନ ଥିବାରୁ ଉପରୋକ୍ତ ଅଞ୍ଚଳର ଆଦିବାସୀମାନେ ଅଭିଶପ୍ତ ଜୀବନ ଜିଉଁଥିବା ଅଭିଯୋଗ ହୋଇଛି ା
ନୟାଗଡ଼ ଜିଲା ଗଣିଆ ବ୍ଲକ କାର୍ଯ୍ୟାଳୟଠାରୁ ୪୫ କିମି. ଓ ବଡ଼ସିିଲିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୫ କିମି.ଗଲେ ପଡେ ସଲପଗଣ୍ଡା ଓ ମୂଷିଗୁଡ଼ାଗାଁ । ସଲପଗଣ୍ଡାରେ ୧୮ ପରିବାରର ୬୭ ଓ ମୂଷିଗୁଡ଼ା ଗଁାରେ ୧୧ ପରିବାରର ୩୩ ଲୋକ ବାସ କରନ୍ତି। ଉଭୟ ଗଁା ସାତକୋଶିଆ ଅଭୟାରଣ୍ୟର ବସାଗଣ୍ଡ ପାହାଡ଼ରେ ଓ ନିମାଣି ଜଙ୍ଗଲ ଭିତରେ ରହିଛି । ଗାଁକୁ ଯିବାକୁ ହେଲେ ସବୁ ଦିନିଆ ରାସ୍ତା ନାହିଁ। ଆବୋଡା ଖାବୋଡା ଘାଟି ରାସ୍ତାରେ ଯିବାକୁ ପଡେ। ଏଠାରେ ସର୍ବନିମ୍ନ ସୁବିଧା ଅପହଞ୍ଚ । ଏନେଇ ମୂଷିଗୁଡ଼ା ଗଁାର ଅଞ୍ଜନା ଜାନି କୁହନ୍ତି, ସଲପଗଣ୍ଡା ଓ ମୂଷିଗୁଡ଼ାଗାଁକୁ ରାସ୍ତା ନାହିଁ । ମହାମତ୍ା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍ଜିଏନ୍ଆରଇଜିଏସ୍) ପରି ଅନେକ ଯୋଜନା କାର୍ଯ୍ୟ କରୁଥିଲେ ମଧ୍ୟ ଆମ ଦୁଇ ଗାଁକୁ ରାସ୍ତା ହୋଇ ପାରୁନାହିଁ। ବନବିଭାଗର ଅସହଯୋଗ କାରଣରୁ ରାସ୍ତା ତିଆରି ହେଉନାହିଁ । ଗାଁରେ ବିଦ୍ୟୁତ୍ ବ୍ୟବସ୍ଥା ନାହିଁ । ସୋଲାର ଲାଇଟ୍ ୨ବର୍ଷ ହେଲା ଅଚଳ ଅବସ୍ଥାରେ ରହିଛି। ଏହାର ମରାମତି ପ୍ରଶାସନ କରୁନି । ଆମେ ତ ଏହାର ମରାମତି କରି ଜାଣିନୁ । ଜଙ୍ଗଲ ସାମଗ୍ରୀ ଓ ଖଲିପତର ବିକି ଯାହା ରୋଜଗାର ହୁଏ ସେଥିରେ ଆମେ ଚଳୁ । ସରକାର ଆମ ଗାଁକୁ ରାସ୍ତା କରି ଦେଲେ ଅନ୍ୟ ସମସ୍ୟା ଧିରେ ଧିରେ ସମାଧାନ ହୋଇ ପାରନ୍ତା । ୱାର୍ଡମେମ୍ବର ନରେନ୍ଦ୍ର ପ୍ରଧାନ କୁହନ୍ତି, ମୁଁ ଜଣେ ଲୋକ ପ୍ରତିନିଧି ହେଲେ ବି ସଲପଗଣ୍ଡା ଓ ମୂଷିଗୁଡ଼ା ଗଁା ପାଇଁ କିଛି କରି ପାରୁନି । ଉଭୟ ଗାଁରେ ସବୁ ଅସୁବିଧା । ଖୋଲା କୂଅରେ ଚାନ୍ଦିନି କରି ପାରୁନୁ । ରୋଗ ହେଲେ ରୋଗୀଙ୍କୁ ଦଶପଲ୍ଲା ଅଥବା ଗଣିଆ ନେବାକୁ ପଡୁଛି। ଗଁାକୁ ଆମ୍ବୁଲାନ୍ସ ଅଥବା ଦମକଳ ଆସି ପାରେନା । ଗୁରୁତର ରୋଗୀଙ୍କୁ ଆମ ଗାଁଠାରୁ ୧୫ କିମି ଭାର, ଦୋଳା କରି ନେବା ପରେ ଦଶପଲ୍ଲା ଓ ଗଣିଆକୁ ଅଟୋରିକ୍ସାରେ ନେଇଥାଉ । ଗାଁରେ ନିଅଁା ଲାଗିଲେ ଆମେ ସବୁ ଏକାଠି ହୋଇ ନିଅଁା ଲିଭାଉ । ଗାଁରେ ସମସ୍ତଙ୍କ ଗାଈ ଅଛି । ହେଲେ ଗୁହାଳ ନାହିଁ । ଗୁହାଳ ଯୋଜନା ଆମ ପାଇଁ ଅପହଞ୍ଚ କହି ସେ କ୍ଷୋଭ ପ୍ରକାଶ କରିଥିଲେ ।
ମୂଷିଗୁଡ଼ା ଗଁାର ନିରଞ୍ଜନ ଜାନି କୁହନ୍ତି, ଆବାସ ଯୋଜନାରେ ଘର ଆମ ପାଇଁ ସ୍ବପ୍ନ । ଗାଁକୁ ରାସ୍ତା ନ ଥିବାରୁ ଆବାସ ଯୋଜନାରେ ଘର ମିଳିଲେ କରି ପାରୁନି। ସରକାରୀ ଅନୁଦାନ ଆମକୁ ପାଉନି। ସଲପଗଣ୍ଡା ଓ ମୂଷିଗୁଡ଼ାଗାଁରେ ମାତ୍ର ୩ଜଣ ଆବାସ ଯୋଜନାରେ ବହୁ କଷ୍ଟରେ ଘର କରିଛନ୍ତି । ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ । ଆଶା କର୍ମୀ ନାହାନ୍ତି । ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କ ସେବା ପାଇବାକୁ ହେଲେ ୧୫ କିମି ଯିବାକୁ ପଡେ। ସ୍ବାସ୍ଥ୍ୟସେବା ଓ ପ୍ରାଥମିକ ପାଠ ପାଇଁ ଗଁାରେ ଅଙ୍ଗନୱାଡ଼ି ଓ ଆଶାକର୍ମୀଙ୍କୁ ନିୟୋଜିତ କରିବା ଦରକାର। ମୂଷିଗୁଡ଼ା ଗାଁର ଟିକିନା ଜାନି କୁହନ୍ତି, ବିଦ୍ୟୁତ୍ ନ ଥିବାବେଳେ କଣ୍ଟ୍ରୋଲ ଦୋକାନରେ କିରୋସିନି ମିଳୁନି । ଏଣୁ ସନ୍ଧ୍ୟା ହେଲେ କାଠ ଜାଳି ରାତିର ସବୁ କାମ ଶେଷ କରୁ। ପ୍ରତି ଘରର ଅଗଣାରେ ସନ୍ଧ୍ୟା ହେଲେ କାଠ ଖଣ୍ଡ ଜାଳି ତାର ଆଲୁଅରେ ରୋଷେଇ ଓ ଖାଇବା ପିଇବା ହୁଏ। ଗଁାକୁ ରାସ୍ତା ଓ ବିଦ୍ୟୁତ୍ ବ୍ୟବସ୍ଥା ପ୍ରଥମେ କରାଯିବା ଦରକାର। ସଲପଗଣ୍ଡା ଗଁାର ଚଞ୍ଚଳା ଜାନୀ କୁହନ୍ତି, ଆମେ କେତେ ଅସୁବିଧାରେ ଚଳୁଛୁ ଆମ ଗଁାକୁ ସରକାରୀ ବାବୁ ନ ହେଲେ ରାଜନେତା ଆସି ରାତି କଟାଇଲେ ପ୍ରକୃତ ଅସୁବିଧା ଜାଣି ପାରନ୍ତେ। ହେଲେ ସେମାନଙ୍କ ପାଦ ଆମ ଗଁାରେ ପଡୁନି । ଗଁାର ସମସ୍ୟା ଦୂର ପାଇଁ ବନବିଭାଗ, ସରପଞ୍ଚ, ବିଡିଓ, ଜିଲାପାଳ, ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଛୁ। ହେଲେ ଆମ ଗଁାର ସମସ୍ୟା ବଢ଼ିି ଚାଲିଥିଲେ ମଧ୍ୟ ସମାଧାନର ନଁା ଧରୁନି। ଦେଖାଯାଉ ଆଉ କେତେବର୍ଷ ଆମେ ଓ ଆମ ପିଲାମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି । ଉଭୟ ଗାଁ ଲୋକମାନେ ବୁଧବାର ଜିଲାପାଳଙ୍କୁ ଭେଟି ଉପରୋକ୍ତ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରିଛନ୍ତି।