ନୀଳଗିରିକୁ ଚାଲିବ ଯାତ୍ରୀବାହୀ ଟ୍ରେନ୍‌

ସଜନାଗଡ଼, ୧।୧(ଡି.ଏନ.ଏ.) ରାଜାରାଜୁଡା ଅମଳରୁ ରେଳଧାରଣା ପଡ଼ିଥିଲେ ହେଁ ବାଲେଶ୍ୱର ଜିଲା ନୀଳଗିରିକୁ ପାସେଞ୍ଜର ଟ୍ରେନ ଚାଲିବାର ସ୍ବପ୍ନ ସାକାର ହୋଇଛି। ବାଲେଶ୍ୱର ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉଦ୍ୟମରେ ନୀଳଗିରି ନିକଟ ଗୋପୀନାଥପୁରକୁ ଆରମ୍ଭ ହେବାକୁ ଯାଉଛି ଯାତ୍ରୀବାହୀ ଟ୍ରେନ୍‌ ସେବା। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ବାଲେଶ୍ୱରରୁ ନୀଳଗିରି ଗୋପୀନାଥପୁର ପର୍ଯ୍ୟନ୍ତ ରେଳଲାଇନ୍‌ ସଂଯୋଗ ରହିଛି। ଏହି ରେଳଲାଇନ୍‌ର ବିଦ୍ୟୁତୀକରଣ ମଧ୍ୟ ହୋଇଛି। ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ ବାରମ୍ବାର ଅଞ୍ଚଳବାସୀ ଏକ ପାସେଞ୍ଜର ଟ୍ରେନ ଚାଲିଲେ ଖାଲି ନୀଳଗିରି ନୁହେଁ ମୟୂରଭଞ୍ଜ ଜିଲାବାସୀ ମଧ୍ୟ ଉପକୃତ ହେବେ ବୋଲି ଦାବି କରିଆସିଥିଲେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କଠାରେ ଦାବି କରିଥିଲେ। ଏହି ବିଷୟକୁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱର ସହ ନେଇଥିଲେ। ଗୁରୁବାର ରାତିରେ ଅଶ୍ୱିନ ବୈଷ୍ଣବ ଟୁଇଟ୍‌ କରି ନୀଳଗିରିକୁ ପାସେଞ୍ଜର ଟ୍ରେନ୍‌ ଚାଲୁ କରିବାକୁ ଲେଖିଥିଲେ। ଏନେଇ ଶୁକ୍ରବାର ଭାଜପା ନୀଳଗିରି କାର୍ଯାଳୟରେ ଏକ ଖବରଦାତା ସମ୍ମିଳନୀରେ ନୀଳଗିରିର ବିଧାୟକ ଇଂ. ସୁକାନ୍ତ କୁମାର ନାୟକ କେନ୍ଦ୍ର ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ଆସନ୍ତା ଜାନୁୟାରୀ ୭ରେ ନୀଳଗିରିରେ କେନ୍ଦ୍ର ରେଳମନ୍ତ୍ରୀ ବୈଷ୍ଣବ ଓ ବାଲେଶ୍ୱର ଏମ୍‌ପି ଷଡ଼ଙ୍ଗୀ ନୀଳଗିରି ଷ୍ଟେସନର ଶୁଭ ଶିଳାନ୍ୟାସ କରିବାର ସୂଚନା ଦେଇଥିଲେ। ଏହି ଖବରଦାତା ସମ୍ମିଳନୀରେ ଏମ୍‌ପିଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ, ପୂର୍ବତନ ନଗରପାଳ ରାଧାଗୋବିନ୍ଦ ଖଟୁଆ, କରୁଣାକର ପଣ୍ଡା, ଗଙ୍ଗାଧର ମିଶ୍ର, ପ୍ରଫୁଲ୍ଲ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।

Share