ଜୁଲାଇ ୩୧ ପର୍ଯ୍ୟନ୍ତ ଖୋଲିବନି ଖୋର୍ଦ୍ଧା ଜିଲାର ଏହି ୯ ଐତିହ୍ୟସ୍ଥଳୀ

ଭୁବନେଶ୍ୱର,୫ା୭(ବ୍ୟୁରୋ)/ ଖୋର୍ଦ୍ଧା ଅଫିସ – ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲାରେ ଥିବା ୯ଟି ଐତିହ୍ୟ କୀର୍ତ୍ତିରାଜିକୁ ସର୍ବସାଧାରଣଙ୍କ ପାଇଁ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲାରେ କୋଭିଡ୍‌-୧୯ ସଂକ୍ରମଣ ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଖଣ୍ଡଗିରି, ଉଦୟଗିରି ସମେତ ୯ ପ୍ରମୁଖ ଐତିହ୍ୟସ୍ଥଳୀକୁ ବନ୍ଦ ରଖିବାକୁ ଜିଲା ପ୍ରଶାସନ ସ୍ଥିର କରିଛି। ଏନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଭୁବନେଶ୍ୱର ସର୍କଲ ମୁଖ୍ୟଙ୍କୁ ଜିଲାପାଳ ସୀତାଂଶୁ କୁମାର ରାଉତ ଚିଠି ଲେଖିଛନ୍ତି।
କରୋନା ସଂକ୍ରମଣ ଏଡ଼ାଇବା ପାଇଁ ମାର୍ଚ୍ଚ ୧୭ରୁ ଏଏସ୍‌ଆଇ ଦ୍ୱାରା ସଂରକ୍ଷିତ ଦେଶର ୩,୪୦୦ରୁ ଅଧିକ କୀର୍ତ୍ତିରାଜି, ଐତିହ୍ୟସ୍ଥଳୀ ଓ ସଂଗ୍ରହାଳକୁ ବନ୍ଦ କରାଯାଇଥିଲା। କିଛିଦିନ ତଳେ ସଂସ୍କୃତି ମନ୍ତ୍ରଣାଳୟ ଜୁଲାଇ ୬ରୁ ଏହାକୁ ଖୋଲିବାକୁ ଅନୁମତି ଦେଇଥିଲା। ଏ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମକୁ କଡାକଡି ପାଳନ କରି ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏହି ଆଧାରରେ ଏଏସ୍‌ଆଇ ଭୁବନେଶ୍ୱର ସର୍କଲ୍‌ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇ ଐତିହ୍ୟସ୍ଥଳୀ ଖୋଲିବା ନିଷ୍ପତ୍ତି ଜିଲା ପ୍ରଶାସନ ଉପରେ ଛଡ଼ାଯାଇଥିଲା। କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ରେ ଥିବା ଐତିହ୍ୟସ୍ଥଳୀକୁ ନ ଖୋଲିବାକୁ ନିର୍ଦ୍ଦେଶ ରହିଥିଲା। ତେଣୁ ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ଓ ଉଦୟଗିରି, ଶିଶୁପାଳଗଡ଼, ଶାନ୍ତିସ୍ତୁପ ଧଉଳି, ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ପାପନାଶିନୀ ମନ୍ଦିର ଆଦି ଐତିହ୍ୟସ୍ଥଳୀକୁ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥାନ୍ତା। ହେଲେ ଏହାଦ୍ୱାରା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ଖୋର୍ଦ୍ଧା ଓ ଭୁବନେଶ୍ୱରର ସମସ୍ତ ଐତିହ୍ୟସ୍ଥଳକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲା ପ୍ରଶାସନ।

Share