ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ନାନୁ ଓରଫ ଝସକେତନ ସାହୁ(୨୧)ଙ୍କ ସମେତ ଅନ୍ୟ ୨ଅଭିଯୁକ୍ତ ଶୋଭାରାମ ପଟେଲ(୨୨) ଏବଂ ପରମେଶ୍ୱର ପଟେଲ(୨୪) ରହିଛନ୍ତି। ଏହାପରେ ଉକ୍ତ ଘଟଣାରେ ଗରିଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଅଭିଯୁକ୍ତଙ୍କ ବିରୋଧରେ ଝାରବନ୍ଧ ଥାନାରେ ବିଭିନ୍ନ ଦଫାରେ କେସ୍ ନଂ ୭୨/୨୪ ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଛି ।
ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇ କହିଛନ୍ତି, ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ଚାଲାଣକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପୋଲିସ ଅଭିଯାନ ଚଲାଇଛି । ଗତ କିଛିଦିନ ମଧ୍ୟରେ ସୋନପୁର ପୋଲିସ ୧୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବାବେଳେ ବରଗଡ଼ ପୋଲିସ ୧କୁଇଣ୍ଟାଲ ଗଞ୍ଜେଇ ଜବତ କରି ସାରିଛି । ଗଞ୍ଜେଇ ଚାଲାଣରେ ଯେକେହି ମଧ୍ୟ ସମ୍ପୃକ୍ତ ଥାଆନ୍ତି, ସେମାନଙ୍କୁ ଛଡ଼ାଯିବ ନାହିଁ ଏବଂ ସେମାନଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲ ଆଇଜି କହିଥିଲେ।