Categories: ଜାତୀୟ

ରାଜ୍ୟ ସଭାରେ ଭାଜପା ସଦସ୍ୟ ସଂଖ୍ୟା ୮୬

ନୂଆଦିଲ୍ଲୀ,୧୬ା୭(ପି.ଟି.): ରାଜ୍ୟ ସଭାକୁ ମନୋନୀତ ୪ ସଦସ୍ୟ ରାକେଶ ସିହ୍ନା, ରାମ ଶକଲ, ସୋନାଲ ମାନସିଂ ଏବଂ ମହେଶ ଜେଠ୍‌ମାଲାନିଙ୍କ କାର୍ଯ୍ୟକାଳ ଶେଷ ହେବା ଫଳରେ ଉଚ୍ଚ ସଦନରେ ଭାଜପାର ସଦସ୍ୟ ସଂଖ୍ୟା ୮୬କୁ ହ୍ରାସ ପାଇଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟ ସଭାରେ ବର୍ତ୍ତମାନ ୨୨୫ ସଦସ୍ୟ ରହିଛନ୍ତି। ସଂଖ୍ୟାଗରିଷ୍ଠତା ହାସଲ ପାଇଁ ୧୧୩ ସଦସ୍ୟଙ୍କ ଆବଶ୍ୟକ ଥିବାବେଳେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ ୧୦୧ ସଦସ୍ୟ ଅଛନ୍ତି। ତେବେ ଏନ୍‌ଡିଏ ପଛରେ ଅବଶିଷ୍ଟ ୭ ମନୋନୀତ ସଦସ୍ୟ ଏବଂ ଜଣେ ସ୍ବାଧୀନ ଏମ୍‌ପିଙ୍କ ସମର୍ଥନ ରହିଛି।
ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ର ରାଜ୍ୟ ସଭା ସଦସ୍ୟ ସଂଖ୍ୟା ୮୭ ରହିଛି। ସେଥିରୁ କଂଗ୍ରେସର ୨୬ ଏମ୍‌ପି ରହିଥିବାବେଳେ ତୃଣମୂଳ କଂଗ୍ରେସର ୧୩, ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଡିଏମ୍‌କେର ୧୦ ଜଣ ଲେଖାଏ ଏମ୍‌ପି ରହିଛନ୍ତି।
ସଭାରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ନ ଥିବାରୁ ବିଲ୍‌ ଗୃହୀତ କରାଇବାକୁ ହେଲେ ଏହାକୁ ଅଣ-ଏନ୍‌ଡିଏ ଦଳ ଯଥା ତାମିଲନାଡୁର ଏଆଇଏଡିଏମ୍‌କେ, ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ କଂଗ୍ରେସ, ମନୋନୀତ ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ। ୪ ଜଣ ମନୋନୀତ ଆସନ ପୂରଣ ହେବା ଏବଂ ଖାଲିପଡ଼ିଥିବା ୧୧ ଆସନରେ ଚଳିତ ବର୍ଷ ନିର୍ବାଚନ ହେବାକୁ ଥିବାରୁ ସେପର୍ଯ୍ୟନ୍ତ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏକୁ ଅନ୍ୟ ଦଳଗୁଡ଼ିକ ଉପରେ ନିର୍ଭର କରିବାକୁ ପଡ଼ିବ। ନିର୍ବାଚନ ହେବାକୁ ଥିବା ୧୧ ଆସନ ମଧ୍ୟରୁ ଭାଜପାକୁ ଅନୂ୍ୟନ ୮ ଆସନ ମିଳିବା ଆଶା କରାଯାଉଛି।
ତେବେ ବର୍ତ୍ତମାନ ବିଲ୍‌ ଗୃହୀତ କରାଇବା ପାଇଁ ଭାଜପାକୁ ଏନ୍‌ଡିଏ ସହଯୋଗୀ ଦଳର ୧୫ ଭୋଟ ଏବଂ ଆଉ ୧୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ସେମାନଙ୍କ ମଧ୍ୟରୁ ୭ ଜଣ ମନୋନୀତ ସଦସ୍ୟ ଥିବାବେଳ ଜଣେ ସ୍ବାଧୀନ ସଦସ୍ୟ ରହିଛନ୍ତି। ଫଳରେ ସଂଖ୍ୟାଗରିଷ୍ଠତା ନମ୍ବର ୧୧୩ରୁ ଶାସକ ଦଳ ପାଖରେ ୪ ସଦସ୍ୟ କମ୍‌ ରହିଛନ୍ତି। ଓ୍ବାଇଏସ୍‌ଆର୍‌ସିପି ପାଖରେ ୧୧ ଭୋଟ ରହିଥିବାବେଳେ ଏହା ପ୍ରସଙ୍ଗ ଭିତ୍ତିରେ ଭାଜପାକୁ ଅତୀତରେ ସମର୍ଥନ ଜଣାଉଥିଲା। ଓଡ଼ିଶାର ବିଜେଡି ମଧ୍ୟ ଅନୁରୂପ ଭାବେ ଭାଜପାକୁ ସମର୍ଥନ ଦେଇ ଆସୁଥିଲା। ତେବେ ଏଥର ନିର୍ବାଚନରେ ଭାଜପା ଏହି ଦଳକୁ ପରାଜିତ କରିବା ପରେ ଏଣିକି ଆଉ ସମର୍ଥନ ଦେବ ନାହିଁ ବୋଲି ସ୍ପଷ୍ଟ କରିଦେଇଛି। ରାଜ୍ୟ ସଭାରେ ବିଜେଡିର ୯ ସଦସ୍ୟ ରହିଛନ୍ତି।

Share