Categories: ଜାତୀୟ

ଅମାନତ ହରାଉଥିବା ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ୁଛି

ନୂଆଦିଲ୍ଲୀ,୨୦।୩(ପି.ଟି.) : ଲୋକ ସଭା ନିର୍ବାଚନରେ ଅମାନତ ହରାଉଥିବା ପ୍ରାର୍ଥୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ୧୯୫୧ ପ୍ରଥମ ଲୋକ ସଭା ନିର୍ବାଚନଠାରୁ ୭୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କ ଅମାନତ ଜମା ହରାଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି। ୨୦୧୯ ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀଙ୍କୁ ସେମାନଙ୍କ ଜମା ହରାଇବାକୁ ପଡ଼ିଥିଲା। ଜଣେ ପ୍ରାର୍ଥୀ ମୋଟ ବୈଧ ଭୋଟ୍‌ର ଅନୂ୍ୟନ ଏକ-ଷଷ୍ଠାଂଶ ପାଇବାକୁ ବିଫଳ ହେଲେ ସେ ତାଙ୍କ ଅମାନତ ଜମା ହରାଇଥାନ୍ତି। ପ୍ରଥମ ଲୋକ ସଭା ନିର୍ବାଚନଠାରୁ ଇତିମଧ୍ୟରେ ମୋଟ ୯୧,୧୬୦ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିବାବେଳେ ସେଥିରୁ ୭୧,୨୪୬ ଜଣ ଅମାନତ ହରାଇଛନ୍ତି। ଏହା ମୋଟ ପ୍ରାର୍ଥୀ ସଂଖ୍ୟାର ୭୮ ପ୍ରତିଶତ।
୧୯୫୧ରେ ଅମାନତ ଜମା ପରିମାଣ ସାଧାରଣ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଥିଲା। ଏବେ ତାହା ବୃଦ୍ଧି ପାଇ ସାଧାରଣ ପ୍ରାର୍ଥୀଙ୍କ ନିମନ୍ତେ ୨୫,୦୦୦ ଏବଂ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୧୨,୫୦୦ ରଖାଯାଇଛି। ଅମାନତ ସଂରକ୍ଷିତ ରଖିବା ପ୍ରାର୍ଥୀଙ୍କ ପାଇଁ ସମ୍ମାନର ବିଷୟ ହୋଇଥିବାବେଳେ ଏହାକୁ ହରାଇବା ଅପମାନଜନକ। ୨୦୧୯ ନିର୍ବାଚନରେ ବିଏସ୍‌ପି ୩୮୩ ଜଣ ପ୍ରାର୍ଥୀ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୪୫ ଜଣ ଅମାନତ ହରାଇଥିଲେ। ସେହିପରି କଂଗ୍ରେସର ୪୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୮ ଜଣଙ୍କୁ ଅମାନତ ହରାଇବାକୁ ପଡ଼ିଥିଲା। ଭାଜପାରୁ ୫୧ ଏବଂ ସିପିଆଇରୁ ୪୧ ପ୍ରାର୍ଥୀ ଅମାନତ ହରାଇଥିଲେ। ୧୯୫୧ରେ ମୋଟ ୧,୮୭୪ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ ସେଥିରୁ ୭୪୫ ଜଣ ଅର୍ଥାତ୍‌ ୪୦ ପ୍ରତିଶତ ଅମାନତ ହରାଇଥିଲେ। ୧୯୯୬ରେ ଅମାନତ ହରାଇଥିବା ପ୍ରାର୍ଥୀଙ୍କ ହାର ସର୍ବାଧିକ ୯୧ ପ୍ରତିଶତ ଥିଲା। ସେତେବେଳେ ୧୩,୯୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୧୨,୬୮୮ ଜଣଙ୍କ ଅମାନତ ବାଜ୍ୟାପ୍ତ ହୋଇଥିଲା। ସେହିପରି ୧୯୯୧-୯୨ ନିର୍ବାଚନରେ ୮,୭୪୯ ପ୍ରାର୍ଥୀଙ୍କ ମଧ୍ୟରୁ ୭,୫୩୯ ଏବଂ ୨୦୦୯ରେ ୮,୦୭୦ ଜଣଙ୍କ ମଧ୍ୟରୁ ୬,୮୨୯ ପ୍ରାର୍ଥୀ ଅମାନତ ହରାଇଥିଲେ। ୨୦୧୪ରେ ୮୪ ପ୍ରତିଶତ ଅର୍ଥାତ୍‌ ୮,୨୫୧ ଜଣଙ୍କ ମଧ୍ୟରୁ ୭,୦୦୦ ପ୍ରାର୍ଥୀଙ୍କ ଅମାନତ ବାଜ୍ୟାପ୍ତ ହୋଇଥିଲା।

Share