କଟକରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଅଫିସ,୧୯।୭- କଟକ ଜିଲାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସଂକ୍ରମଣ ଯେପରି ନ ବ୍ୟାପିବ କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି। ସେହିଭଳି ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କଠାରୁ ନମୁନା ସଂଗ୍ରହ କରାଯାଇ ଏହାକୁ ପରୀକ୍ଷା କରାଯାଉଛି ବୋଲି ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ରବିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କଟକ ସିଏମ୍‌ସି କମିଶନର ଅନନ୍ୟା ଦାଶ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ସବୁ ମେଡିକାଲ ଓପିଡିରେ ପିପିଇ ପିନ୍ଧି ଡାକ୍ତର ରୋଗୀ ଦେଖୁଛନ୍ତି। ଯେଉଁ ରୋଗୀଙ୍କର ଆଡମିଶନ ଦରକାର, ସେମାନଙ୍କର ଆଣ୍ଟିଜେନ ଟେଷ୍ଟ ହେଉଛି। ୧୭ ଶହ ଆଣ୍ଟିଜେନ ଟେଷ୍ଟ କରି ଆକ୍ରାନ୍ତ ଚିହ୍ନଟ କରାଯାଇଛି। କଟକ ସହରରେ ୩୫୦ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଶହ ସୁସ୍ଥ ହୋଇଛନ୍ତି। ୧୪୩ଟି ଆକ୍ଟିଭ କେସ ରହିଥିବା ବେଳେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ମୁକାବିଲା ପାଇଁ କଟକ ପୌରାଞ୍ଚଳ ପାଇଁ ୩ଟି କୋଭିଡ କେୟାର ସେଣ୍ଟର ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି। ଲୋକେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Share