ଭାରତରେ ୧୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୩।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଗୁରୁବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୮ହଜାର ୬୩୫ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୯ ହଜାର ୮୬୧ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୭୨୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ୧,୧୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଇତିମଧ୍ୟରେ ଦେଶରେ ୭ଲକ୍ଷ ୮୨ ହଜାର ୬୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୪ ଲକ୍ଷ ୨୬ ହଜାର ୧୬୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏବେ ପ୍ରତି ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହାରା ହାରି ୪୦ ହଜାରରୁ ଅଧିକ ରହୁଛି। ଏହି ଧାରା ଜାରି ରହିଲେ ଆଉ ୪ ଦିନ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ଲକ୍ଷ ଛୁଇଁବାର ଆଶଙ୍କା ଥିବା କୁହାଯାଉଛି। ଇତିମଧ୍ୟରେ କୋଟିଏ ୫୦ ଲକ୍ଷ ୭୫ ହଜାର ୩୬୯ ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି। ଜୁଲାଇ ୨୨ରେ ୩ ଲକ୍ଷ ୫୦ ହଜାର ୮୨୩ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।

Share