ସାତକୋଶିଆରେ ବଢ଼ିଛି କୁମ୍ଭୀର ସଂଖ୍ୟା, କମିଛନ୍ତି ପକ୍ଷୀ

ଅନୁଗୋଳ,୧୩ା୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ମହାନଦୀ ଗଣ୍ଡରେ ଚଳିତବର୍ଷ କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ୬ରୁ ୯ ଯାଏ ହୋଇଥିବା କୁମ୍ଭୀର ଓ ଗତ ୧୦ ତାରିଖରେ ଶେଷ ହୋଇଥିବା ପକ୍ଷୀ ଗଣନାରୁ ଏହା ସ୍ପଷ୍ଟ ହୋଇଥିବା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି। ବନଖଣ୍ଡ ଅଧିକାରୀ କହିଛନ୍ତି, ଚଳିତବର୍ଷ ଟିକରପଡ଼ା ମହାନଦୀ ଗଣ୍ଡରେ ୯୦ ମଗର କୁମ୍ଭୀରଙ୍କୁ ଠାବ କରାଯାଇଛି। ୧୪ଟି ଘଡିଆଳ କୁମ୍ଭୀର ମଧ୍ୟ ଗଣ୍ଡରେ ରହିଥିବା ଜଣାପଡ଼ିଛି। ଏହି ସଂଖ୍ୟା ଗତବର୍ଷ ଅପେକ୍ଷା ଅଧିକ। ଗତବର୍ଷ ମଗରଙ୍କ ସଂଖା ୮୫ ଥିବାବେଳେ ଚଳିତବର୍ଷ ଏହା ୯୦ ହୋଇଛି। ସେହିପରି ଗତବର୍ଷ ୭ଟି ଘଡ଼ିଆଳ ରହିଥିବାବେଳେ ଚଳିତବର୍ଷ ଏମାନଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାରେ ମଧ୍ୟ ଚଳିତବର୍ଷ ବୃଦ୍ଧି ପରିଲକ୍ଷିତ ହୋଇଛି। ଏବର୍ଷ ୮୧ ପ୍ରଜାତିର ୩ ହଜାର ୩୩୦ ପକ୍ଷୀ ସାତକୋଶିଆ ଆସିଛନ୍ତି। ସୂଚନାଯୋଗ୍ୟ, ମହାନଦୀର ୧୪ଟି ସେକ୍ଟରରେ ୧୪ଟି ଟିମ୍‌ ଓ ମହାନଦୀ ବାହାରେ ୩ଟି ଟିମ୍‌ ଗଣନାରେ ସାମିଲ ହୋଇଥିଲେ। ସମସ୍ତ ରିପୋର୍ଟ ମିଳିବା ପରେ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି।

 

Share