ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଲା

ଭୁବନେଶ୍ୱର,୫।୮(ଅଭିଜିତ ଦାସ): ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ସ୍ଥିତି ନିୟନ୍ତ୍ରଣରେ ଥିବା ସ୍ବାସ୍ଥ୍ୟ ବିଭାଗ କହୁଥିବାବେଳେ ବାସ୍ତବ ସଂଖ୍ୟା କିନ୍ତୁ ଭିନ୍ନ ରହୁଛି। ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବାବେଳେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହାର ପାଖାପାଖି ୭୦ ପ୍ରତିଶତ ରୋଗୀ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ରହିଥିବା ଜଣାପଡିଛି।
ଜନସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଚଳିତବର୍ଷ ଅଗଷ୍ଟ ୨ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲାରେ ୨୨ ହଜାର ୫୭୦ ଜଣଙ୍କ ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ସେଥିରୁ ୧ହଜାର ୭୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୬୬୧ଜଣ ଡେଙ୍ଗୁ ରୋଗୀ ରହିଛନ୍ତି। ସେହିପରି ବାଲେଶ୍ୱର ଜିଲାରେ ୮୪ ଜଣ, ପୁରୀରେ ୬୪ଜଣ ଓ କଟକରେ ୪୬ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ୧୯ ଜିଲାରେ ୩୦ରୁ କମ୍‌ ରୋଗୀ ବାହାରିଥିବାବେଳେ ୬ଟି ଜିଲାରେ କୌଣସି ଡେଙ୍ଗୁ ରୋଗୀ ଚିହ୍ନଟ ହୋଇନାହାନ୍ତି। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଥିବାବେଳେ ଭୁବନେଶ୍ୱର ଏବେ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବୈଠକ କରାଯାଉଥିଲେ ମଧ୍ୟ ଡେଙ୍ଗୁ ସଂକ୍ରମଣକୁ ରୋକାଯାଇପାରୁ ନାହିଁ। ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, ବର୍ତ୍ତମାନ ସମୟରେ ଡେଙ୍ଗୁ ଋତୁଭିତ୍ତିକ ରୋଗ ହୋଇନାହିଁ। ବର୍ଷର ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲାରୁ ଡେଙ୍ଗୁ ରୋଗୀଙ୍କ ରିପୋର୍ଟ ଆସୁଛି। କିନ୍ତୁ ଜୁଲାଇ ଓ ଅଗଷ୍ଟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି। ପୂର୍ବବର୍ଷ ଏହି ଅବଧି ମଧ୍ୟରେ ୧୦୦୯ଟି ରୋଗୀ ଚିହ୍ନଟ ହୋଇଥିବାବେଳେ ଚଳିତବର୍ଷ ୭୦ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତିି। ରାଜ୍ୟରେ ବଢୁଥିବା ଡେଙ୍ଗୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଡେଙ୍ଗୁ ପରୀକ୍ଷଣ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି।

Share