ଗଞ୍ଜାମରେ ୭ ହେଲା ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା

ବ୍ରହ୍ମପୁର,୭ା୮(ସୁବାସ ଚନ୍ଦ୍ର ପାଢ଼ୀ)-ଗଞ୍ଜାମ ଜିଲାରେ ପୁଣି ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ସିଦ୍ଧାର୍ଥନଗରର ଜଣେ ଓ ଅନ୍ୟ ଜଣକ ଦିଗପହଣ୍ଡିର ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ଦୁଇ ଜଣଙ୍କୁ ମିଶାଇଲେ ଜିଲାରେ ପଜିଟିଭ୍‌ ସଂଖ୍ୟା ୭ରେ ପହଞ୍ଚିଛି। ସିଦ୍ଧାର୍ଥନଗରରେ ରହୁଥିବା ବ୍ୟକ୍ତି ଜଣକ କଟକରେ କାମ କରୁଥିବା ବେଳେ ଜ୍ୱରରେ ପଡ଼ିବାରୁ ଘରକୁ ଚାଲି ଆସିଥିଲେ। ତାଙ୍କର ଡେଙ୍ଗୁ ପରୀକ୍ଷା କରିବା ପରେ ନମୁନା ପଜିଟିଭ୍‌ ଆସିଛି। ସେହିପରି ଦିଗପହଣ୍ଡି ଅଞ୍ଚଳର ଯୁବକ ଜଣକ ମୁମ୍ବାଇରେ କାମ କରୁଥିଲେ। କିଛିଦିନ ତଳେ ସେ ଜ୍ୱରରେ ଆକ୍ରାନ୍ତ ହୋଇ ଘରକୁ ଫେରିଥିଲେ। ତାଙ୍କର ଡେଙ୍ଗୁ ପରୀକ୍ଷା କରାଯିବାରୁ ରିପୋର୍ଟ ପଜିଟିଭ ଆସିଛି। ଉଭୟେ ଡାକ୍ତରଙ୍କ ପରାମର୍ଶକ୍ରମେ ଘରେ ରହି ଔଷଧ ସେବନ କରୁଛନ୍ତି। ଯେଉଁ ଅଞ୍ଚଳରେ ଡେଙ୍ଗୁୁ ପଜିଟିଭ୍‌ ବାହାରୁଛି ସେଠାକୁ ସ୍ବାସ୍ଥ୍ୟ ବିଭାଗର ଟିମ୍‌ ଯାଇ ଲାର୍ଭା ନଷ୍ଟ କରୁଛନ୍ତି। ଜନସାଧାରଣଙ୍କୁ ମଧ୍ୟ ଉକ୍ତ ଟିମ ସଚେତନ କରୁଛି।